ଗାଁ ଦଣ୍ଡାରେ ବୁଲୁଛି ଦନ୍ତାହାତୀ ଜଗିଛି ବନ ବିଭାଗ ଓ ପୋଲିସ
ପୁରୀ : ଜଙ୍ଗଲ ଛାଡ଼ି ଏବେ ହାତୀ ସହରମୁହାଁ ହୋଇଛି । ପୁରୀ ସଦରବ୍ଲକ ଅନ୍ତର୍ଗତ ଚନ୍ଦନପୁର ନିକଟ ପ୍ରତାପ ପୁରୁଷୋତମପୁରୁ ହୋତାସାହି ଓ ଗାଁ ଦଣ୍ଡାରେ ଦନ୍ତାହାତୀ ବୁଲୁଥିବା ଗ୍ରାମବାସୀମାନେ ସକାଳୁ ଦେଖିଥିଲେ । ଏହା ପ୍ରଚାର ହେବା ପରେ ଲୋକମାନେ ତାଟି କବାଟ ପକାଇବା ସହ ହାତୀର ଗତି ବିଧି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ଖବର ପାଇବା ପରେ ଚନ୍ଦନପୁର ଥାନା ପୋଲିସ ଓ ବନ ବିଭାଗର ଏକ ସ୍ୱତନ୍ତ୍ର ଦଳ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି । ହାତୀଟି ଗତକାଲି ରାତିରେ ଡ଼େଲାଙ୍ଗ ଅଞ୍ଛଳରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ହାତୀକୁ ଦିନରେ ବ୍ୟତିବ୍ୟସ୍ତ ନକରିବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି । ମଝିରେ ମଝିରେ ହାତୀ ଗଛ ଡ଼ାଳ ଭାଙ୍ଗୁଥିବା ଓ ମଡ଼ ମଡ଼ ଶଦ୍ଦ କରୁଥିବା ଗ୍ରାମବାସୀମାନେ କହୁଛନ୍ତି । ହାତୀଟିକୁ ଜଙ୍ଗଲ ଆଡ଼କୁ ଘଉଡ଼େବା ପାଇଁ ବନ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି । ହାତୀଟି ରାତିରେ ଗତିଶୀଳ ହେଉଥିବା ବେଳେ ସେ ପୁଣି ଡ଼େଲାଙ୍ଗ ଆଡ଼କୁ ଫେରିବ କି ପୁରୀ ସହରମୁଖା ହେବ ତାକୁ ନେଇ ଲୋକଙ୍କ ମଧ୍ୟରେ ଶଙ୍କା ଯାତ ହୋଇଛି । ଗ୍ରାମବାସୀମାନେ ଭୟଭୀତ ନହେବା ପାଇଁ ବନ ବିଭାଗ ପରାର୍ମଶ ଦେଇଛି ।
