ଗ୍ରାମପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
କେନ୍ଦ୍ରାପଡ଼ା : ଗ୍ରାମପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସାରା ଜିଲ୍ଲାରେ ଚାଲିଥିବା ବେଳେ ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳସିଂ ଗ୍ରାମପଞ୍ଚାୟତର ଅଳାବାଙ୍କ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ପଞ୍ଚାୟତର ସରପଞ୍ଚ ମଧୁସ୍ମିତା ଦାସଙ୍କ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ଦଳାଇ, ସୁଦର୍ଶନ ସରକାରୀ ହାଇସ୍କୁଲର ଶିକ୍ଷକ ଶିବନାରାୟଣ ପତି ଓ ଠାକୁରପାଟଣା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦିଲ୍ଲିପ କୁମାର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ୪ଟି ଦଳକୁ ନେଇ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଠାକୁରହାଟ ଛାଞ୍ଚୁଣିଆ କ୍ରୀକେଟ କ୍ଲବ ଚମ୍ପିୟନ ହୋଇଥିବା ବେଳେ ମିର୍ଜାପାଟଣା କ୍ରୀକେଟ କ୍ଲବ ରନର୍ସଅପ ହୋଇଥିଲା । ଅତିଥିମାନେ ଉଭୟ ଟିମକୁ ପୁରସ୍କୃତ କରିଥିଲେ । ଯୁବନେତା ଦିଲ୍ଲିପ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରବୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
