ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ, ଭରପୁର ପର୍ଯ୍ୟଟକ
ଦାରିଙ୍ଗବାଡି : କନ୍ଧମାଳ ଜିଲାରେ ପୁଣି ଶୀତ ଫେରିଛି । ଗତ ଦୁଇ ଦିନ ଧରି ତାପମାତ୍ରା କମିବା ସହ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆଜି ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ରେକର୍ଡ କରାଯାଇଛି l ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ଦାରିଙ୍ଗବାଡ଼ିର ବଜାର, ହିଲଭିଉ ପଏଣ୍ଟ ସମେତ ଆଖ ପାଖ ଅଂଚଳରେ ତୁଷାରପାତ ହୋଇଛି ।
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ଡିଗ୍ରୀ ରେକର୍ଡ କରାଯାଇଛି । ଘୁ.ଉଦୟଗିରିରେ ମଧ୍ୟ ତାପମାତ୍ରା ୫ ତଳକୁ ଖସିଛି। ପାରଦ ତଳମୁହାଁ ହେବା ସହ ଜିଲାର ବିଭିନ୍ନ ଅଞ୍ଚଳରେ ଗତ ଦୁଇଦିନ ହେଲା ପ୍ରବଳ ଜାଡ଼ ଅନୁଭୂତ ହେଉଛି । ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁର ଆଶ୍ରୟ ନେଇଛନ୍ତି । ସେପଟେ ସବୁ ଗାଡ଼ି କନ୍ଧମାଳ ମୁହାଁ ହେଉଛନ୍ତି। ଆଜି ଛୁଟିଦିନ ହୋଇଥିବାରୁ ନୂଆ ବର୍ଷ ର ମଜା ନେବା ପାଇଁ ଲୋକେ କନ୍ଧମାଳ ମୁହାଁ ହୋଇଛନ୍ତି । ସବୁ ପର୍ଯ୍ୟଟନ ସ୍ଥଳୀରେ ଭରପୁର ପର୍ଯ୍ୟଟକ। ଦାରିଂବାଡ଼ିର ଇକୋ ରିତ୍ରିଟ ମଧ୍ୟ ଭରପୁର।
ଶୀତଦିନ ଆସିଲେ ମନେ ପଡ଼େ ଦାରିଙ୍ଗବାଡ଼ି କଥା। ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ ଭାବେ ଦାରିଙ୍ଗବାଡ଼ି ବେଶ ପରିଚିତ। ଦାରିଙ୍ଗବାଡ଼ି ଖାଲି ଓଡ଼ିଶାରେ ନୁହେଁ ଦେଶ ବିଦେଶରେ ବି ନିଜର ପରିଚୟ ସୃଷ୍ଟି କରିଛି। ପ୍ରତ୍ୟେକ ବର୍ଷ ଶୀତଦିନ ଆସିଲେ ପ୍ରବଳ ଶୀତ ଅନୁଭୂତ ହୁଏ ଦାରିଙ୍ଗବାଡ଼ିରେ। ଏମିତି କି ତୁଷାରପାତ ମଧ୍ୟ ହୋଇଥାଏ। ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିକୁ ଆସୁଛନ୍ତି ପର୍ଯ୍ୟଟକ । ଧୀରେ ଧୀରେ ଭିଡ଼ ମଧ୍ୟ ବୃଦ୍ଧି ପାଉଛି। ପର୍ଯ୍ୟଟକଙ୍କ ମଧ୍ୟରେ ବେଙ୍ଗଲି ପର୍ଯ୍ୟଟକଙ୍କ ସଂଖ୍ୟା ଖୁବ୍ ଅଧିକ। କିଛି କିଛି ପର୍ଯ୍ୟଟନସ୍ଥଳୀରେ ବଣ ଭୋଜି ମଧ୍ୟ ଦେଖୁବାକୁ ମିଳୁଛି। ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ, ନେଚର ପାର୍କ, କଫି ବଗିଚା, ଦାରିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳ ପ୍ରପାତ, କିରୀକୁଟିର ଲଭର୍ସ ପଏଣ୍ଟ, ଏମୁ ପକ୍ଷୀ ପାର୍କ, ଗ୍ରୀନବାଡ଼ିର ସନସେଟ ପଏଣ୍ଡ୍ ଭଳି ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲାଣି।
