ସୂର୍ଯ୍ୟକୁମାରଙ୍କ ବିସ୍ଫୋରଣ ବ୍ୟାଟିଂ : ଶ୍ରୀଲଙ୍କାକୁ ୨୨୯ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ଭାରତ
ରାଜକୋଟ୍ : ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ୩ୟ ଟି-୨୦ରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରଣ ବ୍ୟାଟିଂ । ସେ ମାତ୍ର ୪୫ ବଲରେ ଶତକ ହାସଲ କରିବା ସହ ଭାରତ ପାଇଁ ୨୨୮ ରନର ଏକ ବଡ଼ ସ୍କୋର ଛିଡ଼ା କରିଛନ୍ତି । ସେ ବିସ୍ଫୋରକ ଶତକୀୟ ଇନିଂସ ଖେଳିବାରୁ ଶ୍ରୀଲଙ୍କାକୁ ଟ୍ରଫି ଜିତିବା ପାଇଁ ବିଶାଳ ଟାର୍ଗେଟ ଦେବାକୁ ସକ୍ଷମ ହୋଇଛି ଟିମ ଇଣ୍ଡିଆ। ଶ୍ରୀଲଙ୍କା ୨୨୯ ରନ କଲେ ଭାରତରେ ଐତିହାସିକ ଟି-୨୦ ସିରିଜ ଜିତିବାକୁ ସକ୍ଷମ ହେବ। ସୂର୍ଯ୍ୟ କୁମାର ଶେଷ ଯାଏ ୫୧ ବଲରେ ଅପରାଜିତ ୧୧୨ ରନର ଇନିଂସ ଖେଳିବାରୁ ଭାରତ ୫ ୱିକେଟ ହରାଇ ୨୨୮ ରନ କରିବାକୁ ସକ୍ଷମ ହୋଇଛି।
ରାଜକୋଟରେ ହାର୍ଦ୍ଦିକ ପାଣ୍ତ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଥମ ଓଭରରେ ହିଁ ଦଳ ଈଶାନ କିଶନ(୧)ଙ୍କୁ ହରାଇଥିଲା। ହେଲେ ଗତ ମ୍ୟାଚ୍ରେ ଡେବ୍ୟୁ କରିଥିବା ରାହୁଲ ତ୍ରିପାଠୀ ତାଙ୍କ ଚମକ ଦେଖାଇଥିଲେ। ସେ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ। ସେ ୧୬ ବଲରେ ୩୫ ରନ କରିଥିବା ବେଳେ ତାଙ୍କୁ କରୁଣାରତ୍ନେ ଆଉଟ କରି ଭାରତକୁ ଦ୍ୱିତୀୟ ଝଟକା ଦେଇଥିଲେ। ଦଳୀୟ ସ୍କୋର ୫୨ ଥିବା ବେଳେ କ୍ରିଜ୍କୁ ଆସିଥିଲେ ସୂର୍ଯ୍ୟ କୁମାର ଯାଦବ। ସେ ଆରମ୍ଭରୁ ହିଁ ବଡ଼ବଡ଼ ଶଟ ଖେଳିଥିଲେ। ତାଙ୍କୁ ଶୁବମନ ଗିଲ୍ ଭରପୂର ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ ପାଇଁ ୧୧୧ ରନ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ସୂର୍ଯ୍ୟ କୁମାର ମଧ୍ୟ ମାତ୍ର ୨୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ତେବେ ଏହି ସବୁ ଭିତରେ ୩୬ ବଲରେ ୪୬ ରନ କରିଥିବା ଗିଲ ବଡ଼ ଶଟ ଖେଳିବା ଲୋଭରେ ଆଉଟ ହୋଇଯାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୪) ଓ ଦୀପକ ହୁଡ୍ଡା(୪) ମଧ୍ୟ ବେଶୀ କିଛି କରିପାରି ନଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସୂର୍ଯ୍ୟ କୁମାର ତାଙ୍କର ଦମଦାର ବ୍ୟାଟିଂ ଜାରି ରଖିଥିଲେ। ଏଥିସହ ୪୫ ବଲରେ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଟି-୨୦ କ୍ୟାରିୟରର ତୃତୀୟ ଶତକ। ଶେଷ ଭାଗରେ ଅକ୍ଷର ପଟେଲଙ୍କ ବ୍ୟାଟରୁ ମଧ୍ୟ ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ମିଳିତ ଭାବେ ଦଳୀୟ ସ୍କୋରକୁ ୧୮୯ରୁ ନେଇ ୨୨୮ରେ ପହଞ୍ଚାଇଥିଲେ। ସୂର୍ଯ୍ୟ କୁମାର ଶେଷ ଯାଏ ଅପରାଜିତ ରହିବା ସହ ୫୧ ବଲରେ ୧୧୨ ରନ କରିଛନ୍ତି। ଏହି ଇନିଂସରେ ସେ ୭ଟି ଚୌକା ଓ ୯ଟି ବିଶାଳ ଛକା ମାରିଛନ୍ତି। ଅକ୍ଷର ପଟେଲ ୯ ବଲରେ ଅପରାଜିତ ୨୧ ରନ କରିଛନ୍ତି। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୨୮ ରନ କରିଛି।
