ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ ବାରିପଦା ଓ ରାଇରଙ୍ଗପୁର ଠାରେ ନିଯୁକ୍ତି ମେଳା ହେବ ଜିଲ୍ଲା ଅମବାଡସି ଫଣ୍ଡରୁ ଖର୍ଚ୍ଚ ହେବ ଅର୍ଥ
ବାରିପଦା : ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସଭାପତିତ୍ୱରେ ଦକ୍ଷତା କମିଟିର ସଦସ୍ୟଙ୍କୁ ନେଇ ଜିଲ୍ଲାରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ବିଭାଗରେ ଆବଶ୍ୟକ ଥିବା ଦକ୍ଷତା ବୃଦ୍ଧି ତାଲିମ ଗୁଡିକର ସଫଳ ରୂପାୟନ ସହ ଜିଲ୍ଲକ୍ଷରେ ଥିବା ଦକ୍ଷତା ବୃଦ୍ଧି ଅନୁଷ୍ଠାନ ଗୁଡିକର ଭିତିଭୂମୀର ବିକାଶ କରି ଅଧିକରୁ ଅଧିକ ସଂଖ୍ୟକ ପିଲାଙ୍କୁ ଦକ୍ଷତା ସମ୍ପନ୍ନ କରାଇ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ରାଇରଙ୍ଗପୁର ଠାରେ ଏକ ନୂତନ ଆବାସିକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ନେଇ ସରକାର ଙ୍କ ନିକଟକୁ ପ୍ରସ୍ତାବ ପ୍ରେରଣ ସହିତ ତକତପୁର ଓ ଟିକରପଡାରେ ଥିବା ଦକ୍ଷତା ବୃଦ୍ଧି କେନ୍ଦ୍ର ଗୁଡିକରେ ଆବାସିକ ହଷ୍ଟେଲ ଖୋଲିବା ପ୍ରସ୍ତାବକୁ ଅନୁମୋଦନ କରାଯିବା ସହ ଜିଲ୍ଲାରେ ବର୍ଷକୁ ୧୦୦ ଆଇଟିଆଇ ପିଲାଙ୍କୁ ସେଂଟ୍ରାଲ ଟ୍ରେନିଂ ସେଂଟର ଭୁବନେଶ୍ୱରକୁ ପଠାଇବା, ୧୦୦ ଜଣଙ୍କୁ ଭାରୀଯାନ ଚାଳନା ପ୍ରଶିକ୍ଷଣ, ୧୦୦ ଜଣ ପିଲାଙ୍କୁ ପ୍ରାକ ନିଯୁକ୍ତି ପ୍ରଶିକ୍ଷଣ ଦିଆଯାଇ ଭାରତୀୟ ସେନା ଓ ପାରା ମିଲିଟେରିରେ ସେମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ସରକାରୀ ପଲିଟେକନିକରେ ନୂତନ ବିଭାଗ ଖୋଲାଯିବା ଓ ବର୍ତମାନ ଚାଲୁଥିବା ବିଭାଗ ଗୁଡିକର ସିଟସଂଖ୍ୟା ବୃଦ୍ଧି ସମ୍ପର୍କିତ ପ୍ରସ୍ତାବ ସରକାରଙ୍କୁ ପ୍ରେରଣ ପାଇଁ ଅନୁମୋଦନ କରିବା ସହ ଏବାବଦରେ ଜିଲ୍ଲା ଅମବାଡସି ଫଣ୍ଡରୁ ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି । ସେହିପରି ଜିଲ୍ଲାରେ ଫେବୃଆରୀ ୨ରେ ବାରିପଦା ଓ ୩ରେ ରାଇରଙ୍ଗପୁର ଠାରେ ୨ ଗୋଟି ନିଯୁକ୍ତି ମେଳା ଓଡିଶା ଦକ୍ଷତା ବୃଦ୍ଧି କତୃପକ୍ଷଙ୍କ ସହଯୋଗରେ ଆୟୋଜନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରକାର, ବାରିପଦା ପିଏ ଆଇଟିଡିଏ ବସନ୍ତ କୁମାର ସେଠି, ଏଲ.ଡି.ଏମ. ଶିବ ପ୍ରସାଦ ଚୌଧୁରୀ, ଜି.ଏମ. ଡି. ଆଇ. ସି., ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଜିଲ୍ଲା ଶ୍ରମଅଧିକାରୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ବୈଠକ ପରିଚାଳନା କରିଥବା ବେଳେ ମହାତ୍ମା ଗାନ୍ଧୀ ନ୍ୟାସନାଲ ଫେଲୋ ଦେବବ୍ରତ ଦାଶ ସଂକଳ୍ପ ପ୍ରୋଜେକ୍ଟ ଓ ଜିଲ୍ଲା ଦକ୍ଷତା ବୃଦ୍ଧି ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
