ପୁରୁଷ ହକି ବିଶ୍ୱକପ ଟ୍ରଫି ସ୍ୱାଗତ ଓ ‘କଶୋମ୍ବ’ ମହୋତ୍ସବ ପାଇଁ ପ୍ରସ୍ତୁତି
୮ରେ ହକି ବିଶ୍ୱକପ ଟ୍ରଫିକୁ ବାଲେଶ୍ୱର କରିବ ସ୍ୱାଗତ
୧୩ରୁ ଆଇଟିଆଇ ପଡ଼ିଆରେ ବାଲେଶ୍ୱର ମହୋତ୍ସବ ‘କଶୋମ୍ବ’
୧୩ରୁ ୧୬ ଆଇଟିଆଇ ପଡ଼ିଆରେ ବିଶ୍ୱକପ ହକିର ସିଧା ପ୍ରସାରଣ
ବାଲେଶ୍ୱର : ଓଡ଼ିଶାରେ ଦ୍ୱିତୀୟଥର ପାଇଁ ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି ।ଏନେଇ ହକି ବିଶ୍ୱକପର ଟ୍ରଫି ଏବ ରାଜ୍ୟବ୍ୟାପୀ ପରିକ୍ରମା କରୁଥିବା ବେଳେ ପ୍ରତ୍ୟକ ଜିଲାରେ ଏହାକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହିତ ସବୁଠି ଉତ୍ସବର ମାହଲ ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖ ବାଲେଶ୍ୱରରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମୟୂରଭଂଜରୁ ସୁସଜ୍ଜିତ ଗାଡ଼ିରେ ଆସୁଥିବା ଏହି ଟ୍ରଫି ବାଲେଶ୍ୱର ସହରରେ ୧୦/୧୨ଘଣ୍ଟା ରହୁଥିବା ବେଳେ ଏହାର ସ୍ୱାଗତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି । ଏନେଇ ୮ ତାରିଖ ସକାଳେ ଏକ ମିନି ମାରାଥନ ଆୟୋଜିତ ହେବ । ଏଥିରେ ସବୁ ବର୍ଗରୁ ଅଧିକରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ ପାଇଁ ଜିଲାପାଳ ନିବେଦନ କରିଛନ୍ତି । ଟ୍ରଫିକୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ସହ ପରମିଟ ପଡ଼ିଆକୁ ନିଆଯାଇ ସ୍ୱାଗତ ସମ୍ବର୍ଦ୍ଧିତ କରାଯିବ । ସେଠାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ ବୋଲି ଜିଲାପାଳ କହିଛନ୍ତି । ଏହି ଅବସରରେ ପୁରୁଷ ହକି ବିଶ୍ୱକପର ଭାରତୀୟ ଖେଳାଳିଙ୍କ ଜର୍ସିକୁ ପ୍ରଶାସନ ପକ୍ଷରୁ ପ୍ରଦର୍ଶିତ କରାଯାଇଥିଲା । ଏଥି ସହିତ ସଚେତନତା ପାଇଁ ହକି ବିଶ୍ୱକପ ରଥକୁ ଜିଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଅନୁରୂପ ଭାବେ ପୁରୁଷ ହକି ବିଶ୍ୱକପ ପାଇଁ ପ୍ରତ୍ୟେକ ଜିଲାରେ ମହୋତ୍ସବ ୧୩ରୁ ୨୯ ତାରିଖ ମଧ୍ୟରେ ଆୟୋଜିତ ହେଉଥିବା ବେଳେ ବାଲେଶ୍ୱର ମହୋତ୍ସବ ‘କଶୋମ୍ବ’ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ହେବ । ଜିଲା ପ୍ରଶାସନ ଓ ଓରମାସର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ଏହି ମହୋତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ବାଲେଶ୍ୱର ସମେତ ରାଜ୍ୟର କଳାକାରମାନେ ଆଞ୍ଚଳିକ କଳା ପ୍ରଦର୍ଶନ କରିବେ । ବିଶେଷ କରି ଗଞ୍ଜାମର ଯୋଡି ଶଙ୍ଖ, ଭଦ୍ରକର ମୋଗଲ ତାମସା, କଟକର ଘୋଡ଼ାନାଚ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉନାଚ, ଯାଜପୁରର ଲଉଡ଼ି ଓ ବୌଦ୍ଧର ଆଦିବାସୀ ନୃତ୍ୟ କଳାକାରମାନେ ପରିବେଷଣ କରିବାର କାର୍ଯ୍ୟକ୍ରମ କରାଯାଇଛି । ଏହା ସହିତ ଓଡ଼ିଆ ଓ ହିନ୍ଦୀ ସିନେମା ସଙ୍ଗୀତ ଜଗତର ନାମୀ କଳାକାର ପ୍ରିନ୍ସ ଡ୍ୟାନ୍ସ ଗୃପ ସମେତ ଅନ୍ୟାନ୍ୟ ଟ୍ରୁଫଙ୍କ ପକ୍ଷରୁ ସମ୍ବଲପୁରୀ ନାଚ, ଓଡିଶୀ ନୃତ୍ୟ ସାଙ୍ଗକୁ ଦୀପ୍ତିରେଖା ପାଢୀ, ଆଶୁତୋଷ ମହାନ୍ତି, ହୁମାନ ସାଗର, ସଶାଙ୍କ ଶେଖର, ହେମନ୍ତ ବ୍ରିଜବାସୀ, ଜାଭେଦ ଅଲି ପ୍ରମୁଖ ସଙ୍ଗୀତ କଳା ପ୍ରଦର୍ଶନ କରିବେ । ଏହି ସମୟରେ ଏଲଇଡି ମାଧ୍ୟମରେ ହକି ବିଶ୍ୱକପର ସିଧା ପ୍ରସାରଣର କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ମହୋତ୍ସବରେ ପ୍ରତି ପୂର୍ବାହ୍ନରେ ବିଭିନ୍ନ ବିଭାଗ ପକ୍ଷରୁୁ ଆଲୋଚନା ଚକ୍ରର ଆୟୋଜନ କରାଯାଇଛି । ଉତ୍ସବରେ ୫ଶହରୁ ଊର୍ଦ୍ଧ୍ୱ ଷ୍ଟଲ ଖୋଲାଯାଉଥିବା ବେଳେ ଏଥିରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ, ଏସଏଚଜିଙ୍କ ଉତ୍ପାଦ ସାମଗ୍ରୀ ପ୍ରଦର୍ଶିତ ହେବ । ପୁରୁଷ ହକି ବିଶ୍ୱକପ ଟ୍ରଫି ସ୍ୱାଗତ ଓ ବାଲେଶ୍ୱର ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ସବୁମହଲରୁ ସହଯୋଗ କରିବାକୁ ଜିଲାପାଳ ନିବେଦନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
