ରୂପ୍ସା ରେଳ ଜଙ୍କସନ୍ରେ ଡାଉନ୍ ଜଗନ୍ନାଥ ଏକ୍ସପ୍ରେସ୍ ଟ୍ରେନ୍ ରହଣୀ ଦାବି
ରୂପ୍ସା : ଖଡ଼ଗପୁର ରେଳ ଡିଭିଜନ୍ର ବାଲେଶ୍ୱର ଜିଲା ଅନ୍ତର୍ଗତ ରୂପ୍ସା ରେଳ ଜଙ୍କସନ୍ରେ ଡାଉନ ଜଗନ୍ନାଥ ଏକ୍ସପ୍ରେସ୍ ଟ୍ରେନ୍ର ରହଣୀ ପାଇଁ ଦାବି ହୋଇଛି । କୋଭିଡ୍ ମହାମାରୀ ପୂର୍ବରୁ ଉଭୟ ଅପ୍ ଓ ଡାଉନ୍ ଜଗନ୍ନାଥ ଏକ୍ସପ୍ରେସ୍ ଟ୍ରେନ୍ ଏହି ଷ୍ଟେସନରେ ଅଟକୁଥିଲା । କୋଭିଡ୍ କଟକଣା ଉଠିବା ପରେ ଡାଉନ୍ ଟ୍ରେନ୍ଟି ଏଠାରେ ଅଟକୁ ନାହିଁ । ଫଳରେ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହା ଏକ ଜଙ୍କସନ ହୋଇଥିବାରୁ ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନେ ଏହି ଟ୍ରେନ୍ରେ କଟକ, ଭୁବନେଶ୍ୱର, ପୁରୀ ଆଦି ଷ୍ଟେସନକୁ ଯାଉଥିଲେ ହେଁ ଆଉ ଏହି ଟ୍ରେନ୍ ଯୋଗେ ରୂପ୍ସା ଫେରିପାରୁ ନାହାନ୍ତି ।
ଏତଦ୍ବ୍ୟତୀତ ଏହି ଜଙ୍କସନ୍ରୁ ବାରିପଦା ଓ ବାଙ୍ଗିରିପୋଷି ଯା’ଆସ ପାଇଁ ରେଳ ପଥ ଯୋଗାଯୋଗ ରହିଛି । ଜଗନ୍ନାଥ ଡାଉନ୍ ଟ୍ରେନ୍ରେ ପୂର୍ବରୁ ପୁରୀ, ଭୁବନେଶ୍ୱର, କଟକ ଆଦି ଅଞ୍ଚଳରୁ ଯାତ୍ରୀମାନେ ଆସି ରୂପ୍ସାରେ ଓହ୍ଲାଇ ବାରିପଦା, ବାଙ୍ଗିରିପୋଷି ଯାଉଥିବା ସୁପରଫାଷ୍ଟ ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ରେ ଯାଉଥିଲେ । ମୟୂରଭଞ୍ଜ ଜିଲାର ବଡ଼ସାହି ନିର୍ବାଚନମଣ୍ଡଳୀ, ବାଲେଶ୍ୱର ଜିଲାର ସଦର ଓ ବସ୍ତା ନିର୍ବାଚନମଣ୍ଡଳୀର ବ୍ୟବସାୟୀମାନେ ଏହି ଡାଉନ୍ ଟ୍ରେନ୍ ଉପରେ ନିର୍ଭର କରି କଲିକତା ଯା’ଆସ କରିଥାନ୍ତି । କିନ୍ତୁ ଡାଉନ ଟ୍ରେନ୍ଟିର ରହଣୀ ବନ୍ଦ ହେବାରୁ ବ୍ୟବସାୟୀ ଓ ଯାତ୍ରୀମାନେ ଉକ୍ତ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏଣୁ ଡାଉନ୍ ଟ୍ରେନ୍ଟିର ରହଣୀ ପାଇଁ ଆଞ୍ଚଳିକ ବିକାଶ ପରିଷଦ ସମେତ ଯୁବନେତା ତପନ ଗିରି, ହରେନ୍ଦ୍ର କୁମାର ଦାସ, ସୁବେଶ କୁମାର ନାୟକ, ଦେବାଶିଷ ମହାପାତ୍ର, ଆରତୀ ନାୟକ ଓ ରଶ୍ମିତା ପଣ୍ଡା ପ୍ରମୁଖ ଦାବି କରିଛନ୍ତି ।
