ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣା, ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ରାଜଧାନୀରେ ମହିଳା ଏସଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସହିଦନଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ସମସ୍ତ ଆନନ୍ଦ ବଜାର ଅଞ୍ଚଳର ଓ ପେଶାରେ ଡ୍ରାଇଭର ବୋଲି ପୋଲିସ କହିଛି । ନିଶାଶକ୍ତ ଅବସ୍ଥାରେ ମହିଳା ଏସଆଇଙ୍କୁ ସେମାନେ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡିଛି ।
ସେମାନେ ହେଲେ ଚକ, ଅରୁ ଓ ପଦିଆ। ପୁଲିସ୍ ଘଟଣା ଦିନ ବ୍ୟବହାର ହୋଇଥିବା ଇନୋଭା ଗାଡ଼ିକୁ ଜବତ କରିଥିବା ବେଳେ ସେମାନଙ୍କ ନିକଟରୁ କିନ୍ତୁ କୌଣସି ମାରଣାସ୍ତ୍ର ମିଳି ନ ଥିବା ଜଣାଯାଇଛି। ଗିରଫ ୩ ଅଭିଯୁକ୍ତ ପେସାରେ ଡ୍ରାଇଭର ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣକୁ ସାତପଡ଼ାରୁ, ଜଣଙ୍କୁ ଜଗତପୁର ଓ ଅନ୍ୟ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ୍। ଏନେଇ ମହିଳା ଏସ୍ଆଇ ଜଣକ ଅଭିଯୋଗ କରିବା ପରେ ପୁଲିସ୍ ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରିଥିଲା। ଏହି ଯାଞ୍ଚକୁ ଆଧାର କରି ପୁଲିସ୍ ଘଟଣା ଦିନ ରାତିରେ ଓଡ଼ି୧୩ସି୮୭୮୭ ନଂ ବିଶିଷ୍ଟ ଗାଡ଼ି ସାଇନ୍ସ ପାର୍କ ଅଞ୍ଚଳରେ ଯାତାୟତ କରୁଥିବା ଜାଣିବାକୁ ପାଇଥିଲା। ତଦନ୍ତରୁ ଉକ୍ତ ଗାଡ଼ିଟି ଚକଙ୍କର ବୋଲି ଜଣାପଡ଼ିଥିବା ବେଳେ ସେ ସାଇନ୍ସ ପାର୍କ ପଛରେ ଥିବା ବସ୍ତିରେ ରହୁଥିବା ଜାଣିବାକୁ ପାଇଥିଲେ। ଏହାପରେ ପୁଲିସ୍ ତାଙ୍କର ୨ ସହଯୋଗୀ ଅରୁ ଓ ପଦିଆଙ୍କୁ ଗିରଫ କରିଛି। ସେମାନଙ୍କ ଘର ଶହୀଦ ନଗର ଥାନା ଅଧୀନ ଆନନ୍ଦ ବଜାର ବସ୍ତିରେ ବୋଲି ଜଣାଯାଇଛି।
ସୂଚନା ଯେ, ଜାନୁଆରୀ ପହିଲା ରାତିରେ ମହିଳା ଥାନା ପୋଲିସ୍ ଏସ୍ଆଇ ଶୁଭଶ୍ରୀ ନାୟକ ଥାନାରୁ ଡ୍ୟୁଟି ସାରି କାର୍ରେ ଘରକୁ ଫେରୁଥିଲେ । ଆଚାର୍ଯ୍ୟବିହାର ନିକଟ ସାଇନ୍ସ ପାର୍କ ପାଖରେ ସାମ୍ନାପଟୁ ଆସୁଥିବା ଏକ ଇନୋଭା କାର୍ ଅଚାନକ ତାଙ୍କ କାର୍ ସାମ୍ନାକୁ ମାଡ଼ିଆସିଥିଲା । ଭୟରେ ନିଜ କାର୍କୁ ରାସ୍ତା କଡ଼କୁ ନେଇଯାଇଥିଲେ ଶୁଭଶ୍ରୀ। ଏହି ସମୟରେ ଦୁର୍ବୃତ୍ତମାନେ ଇନୋଭାରୁ ବାହାରି ହାତରେ ଖଣ୍ଡା ଧରି ତାଙ୍କ ଆଡ଼କୁ ଆସିଥିଲେ । କାର୍ରେ ବସିବେ କ’ଣ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଦେଖି ଭୟରେ ସେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଆଡ଼କୁ କାର୍ ନେଇଯାଇଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ସାଇନ୍ସ ପାର୍କ ଗଳି ଆଡ଼କୁ ଯାଇଥିଲେ । ଶୁଭଶ୍ରୀଙ୍କୁ ଅସଭ୍ୟ ଭାଷାରେ ସେ ଗାଳିଗୁଲଜ କରିଥିଲେ । ଶୁଭଶ୍ରୀ ସହିଦନଗର ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ।
