ଗତ ଡିସେମ୍ବର ୧୨୨ ବର୍ଷରେ ଭାରତରେ ସବୁଠାରୁ ଉତ୍ତପ୍ତ
ନୂଆଦିଲ୍ଲୀ : ଭାରତରେ ଗତ ୧୨୨ ବର୍ଷରେ ସବୁଠାରୁ ଉତ୍ତପ୍ତ ଥିଲା ୨୦୨୨ ଡିସେମ୍ବର । ଡିସେମ୍ବରରେ ଦେଶରେ ସର୍ବୋଚ୍ଚ ତାପମାତ୍ରା, ସର୍ବନିମ୍ନ ତାପମାତ୍ରା ଏବଂ ହାରାହାରି ତାପମାତ୍ରାରେ ବୃଦ୍ଧି ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଡିସେମ୍ବରରେ ତାପମାତ୍ରାରେ ଏପରି ଅସ୍ବାଭାବିକ ବୃଦ୍ଧି ଏବଂ ପାଗରେ ଏଭଳି ପରିବର୍ତ୍ତନ ଧାରା ଭୟାବହ ହୋଇପାରେ ।
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଡିସେମ୍ବରରେ ହାରାହାରି ସର୍ବାଧିକ ତାପମାତ୍ରା ୨୭.୩୨ ଡିଗ୍ରୀ ସେଲସିୟସ୍, ହାରାହାରି ସର୍ବନିମ୍ନ ତାପମାତ୍ରା ୧୫.୬୫ ଡିଗ୍ରୀ ସେଲସିୟସ୍ ଏବଂ ପୂରା ମାସ ପାଇଁ ହାରାହାରି ତାପମାତ୍ରା ୨୧.୪୯ ଡିଗ୍ରୀ ସେଲସିୟସ୍ ଥିଲା, ଯାହା ସ୍ୱାଭାବିକଠାରୁ ବେଶ୍ ଅଧିକ । ରେକର୍ଡ ଅନୁଯାୟୀ, ଏହି ସମୟ ମଧ୍ୟରେ ଦେଶରେ ହାରାହାରି ସର୍ବାଧିକ ତାପମାତ୍ରା ୨୬.୫୩ ଡିଗ୍ରୀ, ସର୍ବନିମ୍ନ ତାପମାତ୍ରା ୧୪.୪୪ ଡିଗ୍ରୀ ଏବଂ ମାସର ହାରାହାରି ତାପମାତ୍ରା ୨୦.୪୯ ଡିଗ୍ରୀ ରହିଥାଏ ।
ଡିସେମ୍ବର ମାସରେ ଭାରତରେ ହାରାହାରି ସର୍ବାଧିକ ତାପମାତ୍ରା ୨୦୧୬ ଠାରୁ ସର୍ବାଧିକ ଥିଲା । ଅନ୍ୟପକ୍ଷରେ ହାରାହାରି ସର୍ବନିମ୍ନ ତାପମାତ୍ରା ୨୦୦୮ ପରେ ରେକର୍ଡ ସ୍ତରରେ ପହଞ୍ଚି ଯାଇଥିଲା । ଏଥର ଡିସେମ୍ବର ମାସର ହାରାହାରି ତାପମାତ୍ରା ୧୨୨ ବର୍ଷ ଇତିହାସରେ ସର୍ବୋଚ୍ଚ ସ୍ତରରେ ରହିଲା ।
ଜଳବାୟୁ ବିଶେଷଜ୍ଞ ଏବଂ ପାଣିପାଗ ବିଜ୍ଞାନୀମାନଙ୍କ କହିବା ଅନୁଯାୟୀ ଡିସେମ୍ବରରେ ତାପମାତ୍ରା ବୃଦ୍ଧି ହେବାର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ, ଯାହା ଆଗାମୀ ସମୟରେ ଏକ ବଡ ସମସ୍ୟା ସୃଷ୍ଟି କରିପାରେ।
