ଆଜି ପୌଷ ପୂର୍ଣ୍ଣିମା ! ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟଭିଷେକ ନୀତି, ସୁନାବେଶରେ ଦେବେ ଦର୍ଶନ
ପୁରୀ : ଆଜି ପୌଷ ପୁର୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟଭିଷେକ ନୀତି ସମ୍ପାଦନ କରାଯିବ । ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ଶାସ୍ତ୍ର ଅନୁସାରେ, ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରି ରାଜା ହୋଇଥିଲେ । ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁଷ୍ୟାଭିଷେକ ନୀତି ପାଳନ ହେବ । ଏଥିପାଇଁ ଗତକାଲି ଠୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ । ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ। ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। କିରିଟ, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେବେ ।
ସେପଟେ ଶ୍ରୀ ଅଲାରନାଥଙ୍କ ପୁଷ୍ୟାଭିଷେକ ଓ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ପ୍ରଭୁ ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର ବ୍ୟବସ୍ଥା କରାଯାଇଛି । ରାତି ତମାମ ଜାରି ରହିଛି ପୂଜାପାଠ । ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଅଲାରନାଥ । ଦ୍ୱିପ୍ରହର ଧୂପ ପରେ ଶ୍ରୀଜୀଉଙ୍କ ପୁଷ୍ୟାଭିଷେକ ନୀତି ସମାପନ ହେବ ।
