ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାରିପଦା : ଆଜି ଅପରାହ୍ନରେ ଫେସିଲିଟେସନ ସେଣ୍ଟର ଠାରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସଭାପତିତ୍ୱରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବୈଠକକୁ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ, ଜିଲ୍ଲାପାଳ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ଣ୍ଣାଙ୍ଗ ଭାବେ ପାଳିତ ହେବାକୁ ଥିବାରୁ ଏହି ଜାତୀୟ ଦିବସକୁ ଜିଲ୍ଲା ସ୍ତରରେ ସୁବ୍ୟବସ୍ଥିତ ଭାବରେ ପାଳନ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରତିଯୋଗିତା ଆୟୋଜନ, ପ୍ୟାରେଡ ପଡିଆ ସଜ୍ଜିକରଣ, ପରିଷ୍କାର ପରିଚ୍ଛନ୍ନ, ପ୍ୟାରେଡ ପରିଚାଳନା, ରାମ ଧୁନ ପରିବେଷଣ, କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ ଇତ୍ୟାଦି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭିନ୍ନ କମିଟି ଗଠନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଦ୍ୟାନଦେଓ ଖିଲାରୀ ଓ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍ତରୀୟ ବିଭିନ୍ନ ପଦାଧିକାରୀ, ଶିକ୍ଷକ୍ଷନୁଷ୍ଠାନର ମୁଖ୍ୟ ତଥା ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଠ ନାଗରିକ,ଆଇନଜୀବୀ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ୱେଛାସେବୀ ଅନୁଷ୍ଠାନ ର କର୍ମକର୍ତା ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
