ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା, ରାଜ୍ୟବାସୀଙ୍କୁ ମିଳିବ ହାଇସ୍ପିଡ ଇଂଟରନେଟ୍
ଭୁବନେଶ୍ୱର : ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା । ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ । ଭୁବନେଶ୍ୱର, କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ରେଳ, କମ୍ୟୁନିକେସନ୍, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ଠାରେ ୫-ଜି ସେବାର ଉଦଘାଟନ କରିବେ । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ ।
ରାଜ୍ୟରେ ୫-ଜି ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇସାରିଛି । ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଅଶ୍ୱିନୀ ବୈଷ୍ଣବ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫-ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା । ୫-ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଂଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ୫-ଜି ସେବା ସହିତ ରାଜ୍ୟର ଗ୍ରାମାଂଚଳରେ ୧୦୦ଟି ଟେଲିକମ୍ ଟାୱାରର ଉଦଘାଟନ କରିବେ । ଏହା ସହ ପ୍ରଯୁକ୍ତି କମ୍ପାନୀ, ଷ୍ଟାର୍ଟଅପ୍ ସଂସ୍ଥା, ସିଡଟ୍ ଓ ଟେଲିକମ୍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇ ଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ ହେବ ।
ଦେଶରେ ଆରମ୍ଭ ହୋଇଛି ୫ଜି ସେବା । ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ କମ୍ପାନୀ ଗ୍ରାହକଙ୍କୁ ୫ଜି ସେବା ଯୋଗାଇବାରେ ଆଗରେ ରହିଛନ୍ତି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର କିଛି ନିର୍ଦ୍ଧିଷ୍ଟ ସହରରେ ୫ଜି ସେବା ଆରମ୍ଭ ହୋଇଥିବାବେଳେ ଏବେବି ଅନେକ ସହରରେ ଏହି ସେବାର ଲାଭ ଉଠାଇବା ପାଇଁ ଅପେକ୍ଷା କରିଛନ୍ତି ଗ୍ରାହକ । ଏହାରି ମଧ୍ୟରେ ଓଡ଼ିଶାରେ ୫ଜି ଲଂଚ ନେଇ ସୂଚନା ଦେଇଛି ଟେଲିକମ୍ ବିଭାଗ । ବିଭାଗ ତରଫରୁ ଏକ ଟ୍ୱିଟ୍ରେ ଏନେଇ ସୂଚନା ଦିଆଯାଇଛି । ଟ୍ୱିଟ୍ ଅନୁଯାୟୀ, ଗୁରୁବାର ଭୁବନେଶ୍ୱର ଏବଂ କଟକ ସମେତ କିଛି ସହରରେ ୫ଜି ସେବା ଲଂଚ ହେବ । କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସେବାର ଶୁଭାରମ୍ଭ କରିବେ । ଏହା ସହ କେନ୍ଦ୍ରମନ୍ତ୍ରୀ ଗ୍ରାମାଂଚଳରେ ୧୦୦ ୪ଜି ଟାୱାରର ମଧ୍ୟ ଶୁଭାରମ୍ଭ କରିବେ ।
