ମୁମ୍ବାଇରେ ଭୀଷଣ ବର୍ଷା
- ରେଳସେବା ବାଧାପ୍ରାପ୍ତ, ପାଣି ଯୋଗୁଁ ରାସ୍ତା ଜାମ୍
ମୁମ୍ବାଇ : ମୁମ୍ବାଇରେ ଶନିବାର ସକାଳ ଠାରୁ ଲାଗି ରହିଥିବା ଭୀଷଣ ବର୍ଷା କାରଣରୁ ଦାଦରରୁ କୁର୍ଲା ଷ୍ଟେସନ ପର୍ଯ୍ୟନ୍ତ ରେଳ ଧାରଣା ଜଳମଗ୍ନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟ ରେଳବାଇର ସେବା ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସହରର ସଡ଼କ ଗୁଡିକ ଜଳାଶୟରେ ପରିଣତ ହୋଇଛି । ଫଳରେ ଏସବୁ ରାସ୍ତା ଗୁଡିକରେ ଯାନବାହନ ଜାମ୍ ହୋଇଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏନଡିଆରଏଫ, ଏସଡିଆରଏଫ ଏବଂ ନୌସେନାର ଯବାନ ମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ବର୍ଷାରେ ବର୍ତମାନ ସୁଦ୍ଧା ମୃତାହତ ସମ୍ପର୍କରେ କୌଣସି ଖବର ମିଳିନାହିଁ ।
ଶନିବାର ସକାଳ ଠାରୁ ଆରମ୍ଭ ହୋଇଥିବା ଜୋରଦାର୍ ବର୍ଷା କାରଣରୁ କୁର୍ଲା, କିଙ୍ଗ ସର୍କଲ, ମାଟୁଂଗା, ସାୟନ, ହିନ୍ଦମାତା, ଦାଦର ଆଦି ଅଂଚଳ ପାଣିଘେରରେ ରହିଛି । ଏସବୁ ଅଂଚଳର ବର୍ଷାଜଳ ରେଳ ଧାରଣାକୁ ଚାଲି ଆସିଛି । ଯାହାଦ୍ୱାରା ଦାଦରରୁ କୁର୍ଲା ପର୍ଯ୍ୟନ୍ତ ରେଳ ଧାରଣା ଜଳମଗ୍ନ ହୋଇଛି । ମଧ୍ୟ ରେଲୱେର ପ୍ରବକ୍ତା ଶିବାଜୀ ସୂତାରଙ୍କ ସୂଚନା ଅନୁଯାୟୀ, ରେଳ ଧାରଣା ଡୁବିବା ଫଳରେ ମଧ୍ୟ ରେଲୱେର ସେବା ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ରେଳ ଧାରଣାରୁ ବର୍ଷାଜଳ ହଟିବା ପରେ ରେଳସେବା ସ୍ୱାଭାବିକ୍ ହେବ । ଭୀଷଣ ବର୍ଷା ଯୋଗୁଁ କିଙ୍ଗ ସର୍କଲରେ ରେଳ ଧାରଣାର ଆଖପାଖରେ ପାଣି ଭରି ଯାଇଛି । କିନ୍ତୁ, ହାର୍ବର ରେଲୱେ ସେବା ଧିମା ଗତିରେ ଜାରୀ ରହିଛି । ପଶ୍ଚିମ ରେଲୱେ ସେବାର ଗତି ମଧ୍ୟ ଧିମା ପଡିଛି । ମୁମ୍ବାଇର ତଳିଆ ଅଂଚଳ ଗୁଡିକ ପାଣିଘେରରେ ରହିଛି । ଗତ ୨୪ ଘଂଟାରେ ମୁମ୍ବାଇରେ ୧୦୨ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ମୁମ୍ବାଇ ସମେତ ପାଲଘରର କେତେକ ଅଂଚଳ, ବସଇ, ନାଲାସୋପାରାର କେତେକ ଅଂଚଳ ତଥା ଥାଣେର କେତେକ ଅଂଚଳ ଜଳମଗ୍ନ ହୋଇଛି । ସେହିପରି ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇ ପାଇଁ ଶନିବାର ଅରେଞ୍ଜ ୱାର୍ଣ୍ଣିଂ ଓ ରବିବାର ନିମନ୍ତେ ରେଡ୍ ୱାର୍ଣ୍ଣିଂ ଜାରୀ କରାଯାଇଛି ।


