ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ରେସୱାରେ ମହିଳା ସ୍ୱାବଲମ୍ବି ପାଇଁ ପରାମର୍ଶ
କେନ୍ଦ୍ରାପଡ଼ା : ଗରାପୁରସ୍ଥିତ ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପରିସରରେ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ମହିଳାମାନଙ୍କୁ ସ୍ୱାବଲମ୍ବି ହେବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖାର ପରିଚାଳକ ପ୍ରକାଶ ଗ୍ରହାଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ତାଲିମ ପ୍ରଦାନ କରାଯାଇ ସ୍ୱାବଲମ୍ବି କରାଯିବ ବୋଲି କହିଥିଲେ । ଏଥିସହିତ ଡେରାବିଶ ବ୍ଲକ ଅନ୍ତର୍ଗତ ଛତାସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ତାଲିମ ପ୍ରତିଷ୍ଠାନରେ ମହିଳାମାନଙ୍କୁ ପ୍ରଦାନ କରାଯାଉଥିବା ସିଲାଇ, ବିଉଟିସିଆନ, କମ୍ପ୍ୟୁଟର ପ୍ରଭୃତି ଧନ୍ଦାମୂଳକ ତାଲିମ ବିଷୟରେ ବକ୍ତବ୍ୟ ରଖିଥିଲେ । ସେଠାରୁ ତାଲିମପ୍ରାପ୍ତ ହେବା ପରେ ମହିଳାମାନଙ୍କୁ କିଭଳି ବ୍ୟାଙ୍କ ଋଣ ଯୋଗାଇ ଦିଆଯାଇ ସ୍ୱାବଲମ୍ବି କରାଯାଉଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ୭ବର୍ଷରୁ କମ ଝିଅମାନଙ୍କୁ ସୁକନ୍ୟା ଯୋଜନାରେ ସାମିଲ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସ୍ୱୟଂ ସହାୟିକା ଗୋଷ୍ଠି ଗଠନ କରି ଧନ୍ଦାମୂଳକ କାର୍ଯ୍ୟକ୍ରମ ଆରମ୍ଭକରି ସ୍ୱାବଲମ୍ବି ହେବା ପାଇଁ ସେ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା କିଭଳି ଏକ୍ଷେତ୍ରରେ ସଫଳ ହୋଇଛି ସେ ବିଷୟରେ କହିଥିଲେ । ପାଠପଢୁଥିବା ଅନ୍ତେବାସୀମାନଙ୍କୁ ବିଭିନ୍ନ ପ୍ରକାର ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ତେବାସୀମାନଙ୍କ ସହ ଶ୍ରୀ ଗ୍ରହାଚାର୍ଯ୍ୟ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ବ୍ୟାଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ରେସୱା ପକ୍ଷରୁ ନିର୍ଦେଶକ ଲିଆକତ ହୋସେନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳକ ଅମିତରଞ୍ଜନ ସାହୁ, ସ୍ୱାଧାର ଗୃହର ଅଧିକ୍ଷିକା ମିନତୀ ମହାରଣା, ହାଉସ ଫାଦର ଭାବଗ୍ରାହୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
