ଆଗ-ପଛ ହୋଇ ପରଲୋକରେ ବୃଦ୍ଧ ଦମ୍ପତି
ଜଳେଶ୍ୱର : ପବିତ୍ର ବିବାହ ଓ ମୃତ୍ୟୁ ବିଧାତାର ନିର୍ଦ୍ଦେଶ ଥିବା ବେଳେ ଏପରି ଏକ ଘଟଣା ଜଳେଶ୍ୱର ବ୍ଲକର ରାଜପୁର ପଂଚାୟତ ଅନ୍ତର୍ଗତ ବାଘାବାଳି ଗାଁରେ ଦେଖିବାକୁ ମିଳିଛି । ଗତ ୩୧ ତାରିଖ ଶନିବାରରେ ଶାନ୍ତିଲତା ଭୂୟାଁ (୮୬) ବାର୍ଦ୍ଧକ୍ୟରୋଗରେ ପିଡିତ ଥାଇ ପରଲୋକ ଗମନ କରିଥିଲେ । ଏହି ଶୋକରେ ମ୍ରିୟମାଣ ହୋଇ ୪ଦିନ ପରେ ଗତ ମଂଗଳବାର ମଧ୍ୟ ରାତ୍ରିରେ ତାଙ୍କ ସ୍ୱାମୀ ବିଜୟ ଗୋପାଳ ଭୂୟାଁ(୯୫)ଙ୍କର ହୃଦ୍ଘାତରେ ପରଲୋକ ହୋଇଛି । ସେ ଜଣେ ପମ୍ପସେଟ୍ ଓ ସାଇକେଲ ମନ୍ତ୍ରୀ ଭାବେ ସ୍ଥାନୀୟ ଅଂଚଳରେ କ୍ଷ୍ୟାତି ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁଶର୍ଯ୍ୟା ନିକଟରେ ପୁଅ ଗଂଗାଧର ଓ ଅଭିରାମ, ପୁତ୍ରବଧୂ, ୭କନ୍ୟା ଓ ଜ୍ୱାଇଁ, ନାତି ନାତୁଣି, ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ସରପଂଚ ମମତା ପରିଡା, ଦିଲ୍ଲିପ ପରିଡା, ଘନଶ୍ୟାମ ଭୂୟାଁ, ନନିଗୋପାଳ ଭୂୟାଁ ଓ ଦୀପକ ପ୍ରଧାନ ପ୍ରମୁଖ ସେ ଅଂଚଳର ବହୁ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ବଡପୁଅ ଗଂଗାଧର ସୁବର୍ଣ୍ଣରେଖା ନଦୀକୂଳ ପାଟଣା ଶ୍ମାଶାନରେ ମୁଖାଗ୍ନି ଦେଇଥିଲେ । ୪ ଦିନ ବ୍ୟବଧାନରେ ଦମ୍ପତିଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳାଇ ଦେଇଛି ।
