ଜଳେଶ୍ୱରରେ ସାରର ଘୋର ଅଭାବ : ପଶ୍ଚିମବଂଗର ନକଲି କୀଟନାସକ ବହୁଳ ବିକ୍ରି
ଜଳେଶ୍ୱର : ଜଳେଶ୍ୱରରେ ଚଳିତବର୍ଷ ସାରର ଅଭାବ ଦେଖାଦେଇଥିବା ବେଳେ ପଶ୍ଚିମବଂଗର କୀଟନାସକ ବହୁଳଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଫଳରେ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଜଳେଶ୍ୱର ଏକ ଉପାନ୍ତ ଅଂଚଳ । ଜଳେଶ୍ୱରର ୮୨ଟି ଗାଁ ସହିତ ପଶ୍ଚିମବଂଗର ୯୦ଟି ଗାଁ ଲଗାଲଗି ହୋଇ ରହିଛି । ଫଳରେ ଜଳେଶ୍ୱର ସହିତ ଦାନ୍ତୁନ, ମୋହନପୁର, ନୟାଗ୍ରାମ ସହିତ ସିଧାସଳଖ ଜିନିଷପତ୍ର, ସାର, କୀଟନାସକର ଆଦାନପ୍ରଦାନ ହୋଇଥାଏ । ଚଳିତବର୍ଷ ଜଳେଶ୍ୱରର ୨୯୩୧୬ଜଣ କୃଷକ ପରିବାର ୧୯୯୯୦ ହେକ୍ଟର ଜମିରେ ଧାନ ରୁଆପୋତା କରିଛନ୍ତି । ଏହା ବ୍ୟତିତ ୩୩୨୧ ହେକ୍ଟର ଜମିରେ ଅଣଧାନ ଚାଷ ମଧ୍ୟ ହୋଇଛି । ଚଳିତବର୍ଷ ବିଳମ୍ବରେ ବୃଷ୍ଟିପାତ ହୋଇଥିଲେ ମଧ୍ୟ ଅଦ୍ୟାବଧି ୩୫୫ ମ୍ୟାଟ୍ରିକ ଟନ୍ ୟୁରିଆ, ୬୬୯ ମ୍ୟାଟ୍ରିକ ଟନ୍ ଡିଏପି, ୭୮୩ ମ୍ୟାଟ୍ରିକ ଟନ୍ ପଟାସ ଓ ୫୧ ମ୍ୟାଟ୍ରିକ ଟନ୍ ସୁପର ସାରର ବ୍ୟବହାର ହୋଇଛି । କିନ୍ତୁ ଏ ସବୁ ସାର ଜଳେଶ୍ୱର ପ୍ରତି ଯଥେଷ୍ଟ ନୁହେଁ । ଫଳରେ ଜଳେଶ୍ୱର ଅଂଚଳରେ ସାରର ଅଭାବ ଦେଖା ଦେଇଛି । ସେହିପରି ୟୁରିଆ ୪୫କି.ଗ୍ରା ବ୍ୟାଗ୍ର ମୂଲ୍ୟ ୨୬୬ଟଙ୍କା ୫୦ ପ., ଡିଏପି ୫୦ କି.ଗ୍ରା ବସ୍ତାର ମୂଲ୍ୟ ୧୩୫୦ଟଙ୍କା, ପଟାସ୍ ବସ୍ତାର ମୂଲ୍ୟ ୧୭୦୦ଟଙ୍କା ଓ ସୁପର ବସ୍ତାର ମୂଲ୍ୟ ୬୫୦ଟଙ୍କା ଥିବା ବେଳେ କେତେକ ଦୋକାନରେ ବସ୍ତାପ୍ରତି ୫୦ରୁ ୧୦୦ଟଙ୍କା ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଜଳେଶ୍ୱରରେ ୧୮ଟି ସେବା ସମବାୟ ସମିତି ଓ ୧୦୮ଟି ସ୍ୱିକୃତୀପ୍ରାପ୍ତ ଦୋକାନୀକୁ ଇଫ୍କୋ, ଆଗ୍ରୋଇଣ୍ଡାଷ୍ଟ୍ରୀ, ମାର୍କଫେଡ କମ୍ପାନୀ ପକ୍ଷରୁ ସାର ଯୋଗାଇ ଦିଆଯାଉଛି । ଅନ୍ୟପକ୍ଷରେ ପଶ୍ଚିମବଂଗରୁ ବିଭିନ୍ନ କୀଟନାସକ ଜଳେଶ୍ୱର ଅଂଚଳରେ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଇଛି । କୀଟନାସକର ଉପଯୋଗୀତା ନେଇ ବିଭିନ୍ନ ସ୍ଥାନରେ ସନ୍ଦେହ ପ୍ରକାଶ ପାଇଛି । ଏହାକୁ ବ୍ୟବହାର କରି ଚାଷୀମାନେ ଠକାମୀର ଶୀକାର ହେଉଛନ୍ତି । ଏଭଳି ନକଲି କୀଟନାସକ ବିକ୍ରିକୁ ରୋକ ଲଗାଇବା ଲାଗି କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି । ଆଜି ଏ ସମ୍ପର୍କରେ ଗୋଷ୍ଠୀ କୃଷି ଅଧିକାରୀ ସଂଜୟ କୁମାର ରାଉତଙ୍କୁ ପଚାରିବାରୁ ଅଦ୍ୟାବଧି ଜଳେଶ୍ୱର ବ୍ଳକ ଅଂଚଳକୁ ୬୦ଭାଗ ସାର ଯୋଗାଣ ହୋଇଥିବାର ସୂଚନା ଦେଇଛନ୍ତି । ପଶ୍ଚିମବଂଗର ନକଲୀ କୀଟନାସକ ବିକ୍ରିର ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଆଜି ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି । ଉପାନ୍ତ ଅଂଚଳରେ ଏପରି ନକଲି କୀଟନାସକ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ କରିବାଲାଗି ଏକ ସ୍କୁର୍ଡ ଗଠନ କରିବାକୁ ବହୁ ଚାଷୀ ସଂଗଠନ, କୃଷକ ନେତାମାନେ ଦାବି କରିଛନ୍ତି ।
