ବାଲେଶ୍ୱର ଜିଲା ବରିଷ୍ଠ ନାଗରିକ ମଞ୍ଚର ବନ୍ଧୁମିଳନ ଓ ସଭା
ଫେବ୍ରୁଆରୀରେ ଗଣଧାରଣା ପାଇଁ ନିଷ୍ପତ୍ତି
ବାଲେଶ୍ୱର : ବାଲେଶ୍ୱର ଜିଲା ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ସଭା ଓ ନବବର୍ଷର ବନ୍ଧୁମିଳନ ଉତ୍ସବ ବୁଧବାର ସ୍ଥାନୀୟ ନୃତ୍ୟସଙ୍ଗୀତ କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକ୍ର ପ୍ରତିନିଧି ଜିଲ୍ଲା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ସଭାକାର୍ଯ୍ୟ ପ୍ରାରମ୍ଭରେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ମଞ୍ଚାସୀନ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଜୟନ୍ତ ପାଣିଗ୍ରାହୀ ଆବାହନୀ ସଙ୍ଗୀତ ଓ କଲ୍ୟାଣୀ ନନ୍ଦ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ । ସୀତାରାମ ପ୍ରଧାନ ସ୍ୱାଗତ ଅଭିଭାଷଣ ଓ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଦାମୋଦର ନାୟକ ମଞ୍ଚ ପକ୍ଷରୁ ଦାବିପ୍ରସ୍ତାବ ଓ ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ସଂଶୋଧିତ ସାଙ୍ଗଠନିକ ପ୍ରସ୍ତାବ ପାଠ କରିବାପରେ ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ବାର୍ଦ୍ଧକ୍ୟଭତ୍ତା ମାସିକ ୧ହଜାର ୫ଶହ, ବରିଷ୍ଠ ନାଗରିକମାନଙ୍କୁ ରେଳଯାତ୍ରାରେ ପୂର୍ବରୁ ଦିଆଯାଇଥିବା ରିହାତିକୁ ପୁନଃପ୍ରଚଳନ କରିବା, କେନ୍ଦ୍ର ସରକାରଙ୍କ ବରିଷ୍ଠ ନାଗରିକମାନଙ୍କ ସେବାପାଇଁ ବହୁମୁଖୀ ଯୋଜନାକୁ ଜିଲାରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଜମି ପ୍ରଦାନ କରିବା, ଫକୀରମୋହନ ମେଡିକାଲ୍ କଲେଜ୍ରେ ଜରାୱାର୍ଡ଼ କାର୍ଯ୍ୟକ୍ଷମ କରିବା, ଉତ୍ତର ଓଡ଼ିଶାର କୃଷି ଓ କୃଷକର ସ୍ୱାର୍ଥପାଇଁ ଜିଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ଓ ଜିଲାରେ ରେଳଡିଭିଜନ୍ ପ୍ରଭୃତି ଦାବିକୁ ନେଇ ଆସନ୍ତା ଫେବୃଆରୀ ମାସରେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ଦିବସୀୟ ଗଣଧାରଣା ପାଇଁ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଅବସରପ୍ରାପ୍ତ ଜିଲା ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବେହେରା, ବିଶିଷ୍ଟ ସାହିତ୍ୟିକା ଓ ସମାଜସେବୀ ସୁଶ୍ରୀ ଅରୁଣା ରାୟ, ମଞ୍ଚର ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ ଶରତଚନ୍ଦ୍ର ଦାଶ ଓ ବରିଷ୍ଠ ନାଗରିକମାନଙ୍କୁ ଭ୍ରମଣ ପାଇଁ ସହଯୋଗ କରୁଥିବା ସଂସ୍ଥାର ମୁଖ୍ୟ ଅମିତ୍ ଚାଟାର୍ଜୀ ସେମାନଙ୍କ ବକ୍ତବ୍ୟରେ ପ୍ରତିନିଧିମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ଖଇରାବ୍ଲକ୍ ସମ୍ପାଦକ ମୁକ୍ତିକାନ୍ତ ଶତପଥୀ ଅନାମ ଚରଣ ପଣ୍ଡା, ଉମେଶ ଚନ୍ଦ୍ର ନାୟକ, ରେମୁଣାରୁ ଅଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ୍, ଭୋଗରାଇରୁ ବିଜୟ କୁମାର ନନ୍ଦ, ବାଲେଶ୍ୱରରୁ ତ୍ରିଦିପ୍ ନାୟକ, ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ପ୍ରମୁଖ ବରିଷ୍ଠ ନାଗରିକମାନଙ୍କ ବହୁ ସମସ୍ୟା ଓ ଏହାର ନିରାକରଣ ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସଭାରେ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ମଞ୍ଚର ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମୀନାରାୟଣ ଘୋଷ, ବେଣୁଧର ସାହୁ, ଅପର୍ଣ୍ଣା କର, ନିରୁପମା ସେଠୀ, ବିଷ୍ଣୁପ୍ରସାଦ ମହାନ୍ତି, ଯଶୋଦା ନନ୍ଦନ ଆଶ୍, ଶ୍ୟାମସୁନ୍ଦର ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
