ଭାରତ ସର୍ବଦା ଯୁଦ୍ଧର ପରିପନ୍ଥୀ! ଯୁଦ୍ଧ କରିବାକୁ ବାଧ୍ୟ କଲେ ଛାଡ଼ିବୁ ନାହିଁ: ରାଜନାଥ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ୟିନକିଓେଙ୍ଗା ରାସ୍ତାର ସିଓମ ସେତୁ ଉପରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ଉଦ୍ବୋଧନ ଦେଇ ଭାରତ କେବେହେଲେ ଯୁଦ୍ଧ ଚାହେଁ ନାହିଁ କି ଯୁଦ୍ଧକୁ ସମାଧାନର ରାସ୍ତା ବିବେଚନା କରେ ନାହିଁ। ମାତ୍ର ଭାରତକୁ ଯୁଦ୍ଧ କରିବା ଲାଗି ଯଦି କେହି ବାଧ୍ୟ କରେ ତେବେ ଏହା କାହାକୁ ଛାଡିବ ନାହିଁ।
ଭାରତ ସର୍ବଦା ଯୁଦ୍ଧର ପରିପନ୍ଥୀ। ଭାରତ ଯୁଦ୍ଧରେ ବିଶ୍ବାସ କରେ ନାହିଁ ବୋଲି କହିଥିଲେ। ଏହା ହେଉଛି ଆମର ନୀତି। ଯଦି କେହି ଯୁଦ୍ଧ କରିବା ଲାଗି ଆମକୁ ବାଧ୍ୟ କରେ ତେବେ ଆମେ ତାକୁ ଛାଡିବୁ ନାହିଁ। ବିଶ୍ବ ଅତୀତ ଓ ବର୍ତ୍ତମାନ ସମୟରେ ଅନେକ ଯୁଦ୍ଧ ଦେଖିଛି। ମାତ୍ର କୌଣସି ଯୁଦ୍ଧ ସମସ୍ୟା ସମାଧାନ କରିବାରେ ସଫଳ ହୋଇ ନାହିଁ। ତେଣୁ ସମସ୍ୟା ସମାଧାନର ଏକମାତ୍ର ରାସ୍ତା ହେଉଛି ଆପୋଷ କଥାବାର୍ତ୍ତା। ଯଦି କେହି କଥାବାର୍ତ୍ତାରେ ବିଶ୍ବାସ ନ କରି ଯୁଦ୍ଧର ରାସ୍ତା ଆପଣାଏ ତେବେ ଭାରତ ଏହାର ଜବାବ ଦେବାକୁ ପ୍ରସ୍ତୁତ ରହିଛି।
ସେ କହିଛନ୍ତି ଯେ, ଭାରତ ସବୁ ଦିଗରୁ ଏବେ ସୁରକ୍ଷିତ ରହିଛି। ଆମର ସଶସ୍ତ୍ର ସୈନ୍ୟ ବାହିନୀ ସମସ୍ତ ଆହ୍ବାନକୁ ମୁକାବିଲା କରିବା ଲାଗି ସର୍ବଦା ପ୍ରସ୍ତୁତ ରହିଛନ୍ତି। ପୂର୍ବ ଲଦାଖ ପରି ଅରୁଣାଚଳର ତାୱଙ୍ଗ ସେକ୍ଟରରେ ଶତ୍ରୁ ପକ୍ଷର ଅନୁପ୍ରବେଶକୁ ରୋକିବାରେ ଆମର ସୈନିକ ସଫଳ ହୋଇଛନ୍ତି। ସେହିପରି ସେନାର ବର୍ଡର ରୋଡ ଅର୍ଗାନାଇଜେସନ (ବିଆରଓ) ସୀମାନ୍ତ ଅଞ୍ଚଳରେ ସାମରିକ ଭିତ୍ତିଭୂମିକୁ ଦୃଢ଼ କରିବାରେ ବେଶ୍ ତତ୍ପରତା ଦେଖାଇଛି। ଅରୁଣାଚଳରେ ବିଆରଓ ପକ୍ଷରୁ ନିର୍ମିତ ୨୮ଟି ପ୍ରକଳ୍ପକୁ ଆଜି ରାଜନାଥ ଉଦ୍ଘାଟନ କରିଛନ୍ତି। ଏହିସବୁ ପ୍ରକଳ୍ପ ମଧ୍ୟରୁ ୨୨ଟି ସେତୁ ରହିଛି। ଏଥିପାଇଁ ୭୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତିନିଟି ରାସ୍ତା ବିଭିନ୍ନ ରାଜ୍ୟକୁ ସଂଯୋଗ କରୁଛି। ଏହିସବୁ ରାସ୍ତା ଓ ସେତୁ ନିର୍ମାଣ ଦ୍ବାରା ସୀମାକୁ ଯୁଦ୍ଧାସ୍ତ୍ର ଓ ସୈନ୍ୟ ପରିବହନ ସୁଗମ ହୋଇପାରିବ। ସିଆଙ୍ଗ, ଟୁଟିଙ୍ଗ ଓ ୟିକିଓଙ୍ଗୋ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ଏହା ସହାୟକ ହେବ। ଗତ ବର୍ଷକ ମଧ୍ୟରେ ବିଆରଓ ୨୮୯୭ କୋଟି ଟଙ୍କା ବ୍ୟୟରେ ୧୦୩ଟି ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ଶେଷ କରିଛି।
