ଅଭିନବ ପ୍ରତିବାଦ, କାଦୁଆରେ ନିଜକୁ ପୋତିଦେଲେ କୃଷକ
ମୁମ୍ବାଇ : ବିଭିନ୍ନ ସମସ୍ୟାର ସମାଧାନ ପାଇଁ କରାଯାଉଥିବା ଆନ୍ଦୋଳନ ସମ୍ପର୍କରେ ଆପଣ ଜାଣିଥିବେ। ଅନେକ ସମୟରେ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅଭିନବ ଉପାୟରେ ପ୍ରତିବାଦ କରାଯାଇଥାଏ। ଯାହାର ଖବର ଆପଣ ପଢିଥିବେ। ସଦ୍ୟ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଜଣେ କୃଷକ ମାଟିରେ ନିଜକୁ ପୋତିଦେଇ ଏକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି।
ପ୍ରାୟ ୩ ବର୍ଷ ମହାରାଷ୍ଟ୍ରର ଜଲନା ଜିଲାରେ ସୁନୀଲ ଜାଧବ ନାମକ ଜଣେ କୃଷକଙ୍କୁ ରାଜ୍ୟର ଏକ କଲ୍ୟାଣକାରୀ ଯୋଜନା ଅଧୀନରେ ଜମି ପ୍ରଦାନ କରାଯାଇଥିଲା। କୃଷକ ସୁନୀଲ ଜାଧବଙ୍କୁ କର୍ମବୀର ଦାଦାସାହେବ ଗାଇକୱାଡ ସାବଲିକରଣ ସ୍ୱାଭିମାନ ଯୋଜନା ଅଧୀନରେ ଏହି ଜମି ବଣ୍ଟନ କରାଯାଇଥିଲା। ହେଲେ ତାଙ୍କୁ ପ୍ରଦାନ କରାଯାଇଥିବା ଜମିର ମାଲିକାନା ତାଙ୍କୁ ମିଳିନଥିଲା। ଏହାର ପ୍ରତିବାଦରେ ଜଣେ କୃଷକ ନିଜକୁ କାଦୁଅରେ ପୋତି ଦେଇ ପ୍ରତିବାଦ କରିଥିଲେ।
ଏନେଇ ପ୍ରତିକ୍ରିୟା ରଖି କୃଷକ ଜଣଙ୍କ କହିଛନ୍ତି ଗତ ୨୦୧୯ ବର୍ଷରେ ଦାଦାସାହେବ ଗାଇକୱାଡ ସାବଲିକରଣ ସ୍ୱାଭିମାନ ଯୋଜନା ଅଧୀନରେ ଆମକୁ ୨ ଏକର ଜମି ପ୍ରଦାନ କରାଯାଇଥିଲା। ହେଲେ ଆମକୁ ଏହାର ମାଲିକାନାସତ୍ତ୍ୱ ମିଳିନଥିଲା। ସେଥିପାଇଁ ମୁଁ ମୋ ନିଜକୁ ମାଟିରେ ପୋତି ଦେଇ ପ୍ରତିବାଦ କରିଥିଲି। ଆମକୁ ମିଳିଥିବା ଜମିର ମାଲିକାନାସତ୍ତ୍ୱ କାଗଜପତ୍ର ମୋତେ ନ ମିଳିବା ପର୍ଯ୍ୟନ୍ତ ମୁଁ ମୋର ପ୍ରତିବାଦ ଶେଷ କରିବ ନାହିଁ।
ଅନେକ ସମୟରେ ବିକ୍ଷୋଭକାରୀ ସେମାନଙ୍କର ଦାବିକୁ ସରକାରୀ କର୍ତ୍ତୃପକ୍ଷ ଏବଂ ଲୋକଙ୍କ ସାମ୍ନାରେ ରଖିବା ପାଇଁ ଏପରି ଅଭିନବ କାର୍ଯ୍ୟ କରନ୍ତି। ପ୍ରାୟ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ସମୟରେ କୃଷକ ରକ୍ତଦାନ ଶିବିର ଆୟୋଜନ କରି ଏକ ଦୃଢ ବାର୍ତ୍ତା ସରକାରଙ୍କୁ ଦେଇଥିଲେ।
ଏହା ପୂର୍ବରୁ କେରଳରେ ଜଣେ ବ୍ୟକ୍ତି ରାସ୍ତାରେ ପାଣି ଭର୍ତ୍ତି ହୋଇଥିବା ଖାଲରେ ଗାଧୋଇଥିଲେ। ସେ ତାଙ୍କ ପୋଷାକ ସେହିୱ ପାଣିରେ ଧୋଇଥିଲେ। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା। ଗତ ବର୍ଷ ଏକ ପ୍ରତୀକାତ୍ମକ ପ୍ରତିବାଦ ସ୍ୱରୂପ ହ୍ରାଇଦ୍ରାବାଦ ସହରରେ କନିଷ୍ଠ ଡାକ୍ତର ଏକ ଡାକ୍ତରଖାନାରେ ସିଲିଂ ଫ୍ୟାନ ସେମାନଙ୍କର ଜଣେ ସହକର୍ମୀଙ୍କ ଉପରେ ପଡ଼ିବା ପରେ ସେମାନେ ଡ୍ୟୁଟି କରିବା ସମୟରେ ହେଲମେଟ ପିନ୍ଧିଥିଲେ।
