ନାବାଳିକାକୁ ଅସଦାଚରଣ ଯୋଗୁଁ ଯୁବକ ଅଟକ – ନାବାଳିକା ପରିବାରକୁ ବାନ୍ଧିଲା ପ୍ରତିହିଂସାପ୍ରିୟ ଯୁବକ : ରାଇବଣିଆରେ ଉତ୍ତେଜନା
ଜଳେଶ୍ୱର : ନୂଆବର୍ଷ ଉପଲକ୍ଷେ ରାଇବଣିଆର କାଳିକ ପଂଚାୟତରରେ ନାଚଗୀତର ଆସର ‘ଡୁବୁନ’ ଚାଲିଥିବା ବେଳେ ଜନୈକ ଯୁବକ ଜଣେ ନୃତ୍ୟରତ ନାବାଳିକାକୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ନାବାଳିକାର ସମ୍ପର୍କୀୟମାନେ ଯୁବକକୁ ଅଟକ ରଖିଥିବାରୁ ତହିଁ ପରଦିନ ଯୁବକ ସେଠାରୁ ଉଦ୍ଧାର ହେବାପରେ ନାବାଳିକାର କେତେକ ସମ୍ପର୍କୀୟଙ୍କୁ ଦୀର୍ଘ ସମୟ ବାନ୍ଧି ରଖିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଂଚାୟତର ଉପରତୋଟା ଗାଁରେ ନୂଆବର୍ଷ ଅବସରରେ ନାଚଗୀତ ‘ଡୁବୁନ୍’ ଆୟୋଜନ ହୋଇଥିଲା । ପାରମ୍ପରିକ ନୃତ୍ୟ ଚାଲିଥିବା ବେଳେ ପାଖ ଗାଁ ତେନ୍ତୁଳାର ବିରାମ ବେସ୍ରାଙ୍କ ପୁଅ କିସୁନ ବେସ୍ରା (୧୯) ମଧ୍ୟ ନାଚଗୀତରେ ଭାଗ ନେଇଥିଲା । ସଂଖାଇ ମାରାଣ୍ଡିଙ୍କ ନାବାଳିକା ଝିଅ ‘ଡୁବୁନ୍’ରେ ଭାଗ ନେଇଥିବା ବେଳେ କିସୁନ୍ ତାକୁ ଅସଦାଚରଣ କରିବାରୁ ପିଡିତାର ପିଉସୀ ଏହାକୁ ବିରୋଧ କରିଥିଲା । ସଂଧ୍ୟାରେ କିସୁନ ଓ ତାର ସାଂଗସାଥି ପୁଣି ଗାଁକୁ ଆସି ପିଡିତାର ପିଉସୀ ଓ ପିଡିତାକୁ ମାରଧର କରିବାରୁ ଗ୍ରାମବାସୀ ଯୁବକକୁ ଦୀର୍ଘ ସମୟ ଅଟକ ରଖିଥିଲେ । ଏ ସଂପର୍କରେ ପିଡିତାଙ୍କ ପକ୍ଷରୁ ରାଇବଣିଆ ଥାନାରେ ଅଭିଯୋଗ କରାଯିବାପରେ ପୁଲିସ୍ ଉପସ୍ଥିତିରେ ଯୁବକକୁ ଛଡାଯାଇଥିଲା । ତହିଁ ପରଦିନ ଯୁବକ କେତେକ ସାଂଗମାନଙ୍କ ସହିତ ପୁଣି ପିଡିତାଙ୍କ ଘରକୁ ଆସି ପିଡିତାର ସାନ ଭଉଣୀ, ଭାଇ, ମା, ପିଉସା ଓ ପିଉସୀକୁ ଆକ୍ରମଣ କରିବା ସହିତ ଗଛରେ ବାନ୍ଧି ଦେଇଥିଲା । ଏ ସଂପର୍କରେ ଉଭୟ ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତଙ୍କ ହସ୍ତକ୍ଷେପ ଫଳରେ ଆପୋଷ ସମାଧାନ କରାଯାଇଥିବା ବେଳେ ପିଡିତାର ବାପା କାହିଁକି ପୁଲିସ୍କୁ ଜଣାଇଲେ ବୋଲି ପ୍ରଶ୍ନ କରି ତାଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା କରିଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।
