ଋଷୀୟ ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ ମାମଲା, ଦରକାର ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ : ଡିଜିପି
ଭୁବନେଶ୍ୱର : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ସନ୍ଦେହଜନକ ଭାବେ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା । ରାୟଗଡ଼ାର ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ପାରାଦୀପରେ ଆଉ ଜଣେ ହାଇପ୍ରୋଫାଇଲ ଋଷୀୟ ନାଗରିକଙ୍କ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏନେଇ ପୋଲିସ ମହାନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦରକାର ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ଘଟଣା ପଛରେ ଷଡ଼ଯନ୍ତ୍ର ଅଛି କି ନାହିଁ, ସେ ନେଇ ତଦନ୍ତ ଚାଲିଛି । ଅଧିକ ସୂଚନା ଆସିଲେ ଜଣାଇବି। ଜଣକ ପରେ ଜଣେ ରୁଷୀୟ ନାଗରିକଙ୍କ କାହିଁକି ମୃତ୍ୟୁ ହେଉଛି, ତାହା ତଦନ୍ତ ପରେ ଜଣାପଡ଼ିବ।
ସୂଚନା ଯେ, ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଜଣେ ରୁଷୀୟ ମୁଖ୍ୟଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାକୁ ଏକ ଅସ୍ବାଭାବିକ ମୃତ୍ୟୁ ବୋଲି କୁହାଯାଉଛି।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ମୁଖ୍ୟଯନ୍ତ୍ରୀ ଅଲଦାନା ଭେସେଲରେ ପାରାଦୀପ ଆସିଥିଲେ। ମୃତ ରୁଷୀୟ ମୁଖ୍ୟଯନ୍ତ୍ରୀ ହେଉଛନ୍ତି ମିଲ୍ ୟାକୁବ ସର୍ଜଇ। ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଘଟଣା ସମ୍ପର୍କରେ ତଦନ୍ତ ହେବା ପୂର୍ବରୁ କିଛି କହିହେବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ପି ଏଲ୍ ହାରନାଦ କହିଛନ୍ତି।
