ତୁଟିଲା ସେବାୟତ ବିବାଦ, ଆରମ୍ଭ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ବର: ତୁଟିଲା ସେବାୟତ ବିବାଦ । ଫଳରେ ତିନିଦିନ ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଉଚ୍ଚସ୍ତରୀୟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ।
ଭୁବନେଶ୍ୱର ସର୍କିଟ ହାଉସରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡୁ ନିଯୋଗ ଓ ସମର୍ଥା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ସମସ୍ତ ନିଯୋଗ ନିଜ ନିଜ ଅଭିଯୋଗ ଓ ଦାବି ଜଣାଇଥିଲେ। ଜିଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣିବା ପରେ ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ତାପରେ ସମସ୍ତ ନିଯୋଗ ଜିଲାପାଳଙ୍କ କଥା ମାନି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି କରିବାରେ ସାମିଲ ହୋଇଛନ୍ତି। ପ୍ରତି ମାସରେ ଥରେ ମିଟିଂ କରି ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲାପାଳ କହିଛନ୍ତି।
ସୂଚନା ଯେ, ନୀତି ବିଭ୍ରାଟଜନିତ ସେବାୟତ ବିବାଦ ତୁଟି ନ ପାରିବାରୁ କ୍ରମାଗତ ୩ ଦିନ ହେଲା ଶ୍ରୀଲିଙ୍ଗରାଜ ମହାପ୍ରଭୁ ଉପବାସରେ ରହିଛନ୍ତି। ରବିବାର ଦିନ ଭୋଗ ମଣ୍ଡପରେ ପୂଜା ବେଳେ ହୋଇଥିବା ନୀତି ମାରା ଓ ଏହାକୁ ନେଇ ସେବାୟତଙ୍କ ଭିତରେ ଉପୁଜିଥିବା ବିବାଦ ସୋମବାର ମଧ୍ୟ ସମାଧାନ ହୋଇପାରିନଥିଲା। ଫଳରେ ନୂଆ ବର୍ଷ ଆରମ୍ଭରୁ ମନ୍ଦିରରେ ସୃଷ୍ଟି ହୋଇଥିବା ବିଭ୍ରାଟ ପାଇଁ ପ୍ରଭୁ ତିନିଦିନ ହେଲା ଉପବାସରେ ରହିବାକୁ ବାଧ୍ୟ ହୋଇଥିଲେ। ମନ୍ଦିର ପ୍ରଶାସନ ଏହି ବିବାଦର ଆଶୁ ସମାଧାନ କରିବା ଦିଗରେ ବିଫଳ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ସୋମବାର ମନ୍ଦିର ପ୍ରଶାସନ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ସେବାୟତ ଗୋଷ୍ଠୀଙ୍କୁ ବୈଠକ ପାଇଁ ଡାକିଥିଲେ। ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁ, ସଭାପତି ଅଞ୍ଚଳ ବଡୁ, ମନ୍ଦିର ନୀତି ସୁପରଭାଇଜର ରାଜ କିଶୋର ମହାପାତ୍ର ଓ ଚର୍ଚେଇତ ଶୁଭରାଜ ବଟୁ ଯୋଗ ଦେଇଥିଲେ। ତେବେ ଏହି ବୈଠକରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅନୁପସ୍ଥିତି କୌଣସି ସମାଧାନର ବାଟ ବାହାର କରିପାରିନଥିଲା।
