କୁନିକୁନି ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳରେ ନୂଆବର୍ଷ ଉପଲକ୍ଷେ କୁନିକୁନି ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର କଳାପ୍ରେମୀ ତଥା ଦ ମ୍ୟୁଜିକ ଓଡ଼ିଶାର ଅଧ୍ୟକ୍ଷ ରବିନ୍ଦ୍ର କୁମାର ପରିଡ଼ାଙ୍କ ସୌଜନ୍ୟରେ ଅନୁଷ୍ଠିତ ଉତ୍ସବରେ ଅତିଥି ରୂପେ ଅବସର ବାୟୁସେନା କର୍ମଚାରୀ ରାଜେନ୍ଦ୍ର କୁମାର ମହାପାତ୍ର, କବି ତଥା ଶିକ୍ଷକ ସୂର୍ଯ୍ୟମଣୀ ବୋଇତି, ଖାଉଟି ସଚେତକ ପ୍ରଶାନ୍ତ କୁମାର ପଣ୍ଡା, ଅବସର ସ୍ଥଳସେନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ, ବିଶିଷ୍ଠ ଓଡ଼ଶୀ ନୃତ୍ୟ ପ୍ରଶିକ୍ଷିକା ରୀତାଞ୍ଜଳୀ ମହାପାତ୍ର, କଣ୍ଠଶିଳ୍ପୀ ରାଜେଶ ଘଡ଼ିଆ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଶିଶୁ ମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ, ଜୀବନ ଗଠନ ଇତ୍ୟାଦି ସମ୍ପର୍କରେ ଅତିଥି ମାନେ ବକ୍ତବ୍ୟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ଶିକ୍ଷା ସହିତ ଗ୍ରାମାଞ୍ଚଳରେ ଶିଶୁ ମାନଙ୍କ ଅନ୍ତର୍ନିହିତ କଳା ଓ ବ୍ୟକ୍ତିତ୍ୱର ବିକାଶ ପାଇଁ ସଙ୍ଗୀତ, ନୃତ୍ୟ ପରି ବିଭିନ୍ନ କଳା ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି କବି ସୂର୍ଯ୍ୟମଣୀ ବୋଇତି ସୂଚନା ଦେଇଥିଲେ । ସେହିପରି ଜୀବନର ଲକ୍ଷ୍ୟ ଓ ଜୀବନ ଗଠନ ସମ୍ପର୍କରେ ବାୟୁସେନା କର୍ମଚାରୀ ରାଜେନ୍ଦ୍ର କୁମାର ମହାପାତ୍ର ସୂଚନା ଦେଇଥିଲେ । ସହରପରି ଗ୍ରାମାଞ୍ଚଳର ଶିଶୁ ମାନଙ୍କୁ କଳା ଶିକ୍ଷା ଦୀଗରେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ରବିନ୍ଦ୍ର ପରିଡ଼ା ସୂଚନା ଦେଇଥିଲେ । ଖୁବ୍ଶିଘ୍ର ଏକ କଳା କେନ୍ଦ୍ର ଏହି ଅଞ୍ଚଳରେ ଖୋଲାଯିବା ନେଇ ସ୍ଥାନୀୟବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସନ୍ଧ୍ୟାରାଣୀ ରାଉତ, ସୁକାନ୍ତି ସେଠୀ, ରାମାକନ୍ତ ପରିଡ଼ା ପ୍ରମୁଖ ସହଯୋଗୀ ଥିଲେ ।
