ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳିଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ : ବାଚସ୍ପତି
ଭୁବନେଶ୍ୱର : ଯେତେବେଳେ ସାରା ଭାରତ ବର୍ଷରେ ବ୍ରିଟିଶ ଅତ୍ୟାଚାରରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଥିଲେ, ସେତେବେଳେ ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତ ବର୍ଷର ଯେଉଁ କେତେଜଣ ସଂଗ୍ରାମୀ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଘୁମୁସରର ଚକରା ବିଷୋୟୀ ଥିଲେ ଅନ୍ୟତମ । ସେ ପରାକ୍ରମଶାଳୀ ବ୍ରିଟିଶ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମର ନେତୃତ୍ୱ ନେଇ ଦୀର୍ଘ ୧୫ ବର୍ଷ ଧରି ବ୍ରିଟିଶ ଶାସକଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କଭାରତଛାଡ ଡାକରାର ୧୦୦ ବର୍ଷ ପୂର୍ବରୁ ବ୍ରିଟିଶ୍ ବିରୁଦ୍ଧରେ ତାଙ୍କର ସଂଗ୍ରାମ ଦୁଃସାହସିକ ଓ ନିର୍ଭୀକ ଥିଲା । ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଚସ୍ପତି ଶ୍ରୀ ଆରୁଖ ଏହା କହିଛନ୍ତି । ଭୁବନେବାର ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ତଥା ବିଶିଷ୍ଟ ଗବେଷକ ଓ ନାଟ୍ୟକାର ମନ୍ମଥ କୁମାର ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚକରା ବିଷୋୟୀଙ୍କ ସଂଗ୍ରାମୀ ବ୍ୟକ୍ତିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ କ୍ରମରେ ଚକରା ବିଷୋୟୀଙ୍କ ଜୀବନୀ ବର୍ତମାନ ତଥା ଭବିଷ୍ୟତ ପିଢି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ବିଚିତ୍ରାନନ୍ଦ ଦାସ ମୁଖ୍ୟ ବକ୍ତା ଭାବରେ ବକ୍ତବ୍ୟ ରଖି ଚକରା ବିଷୋୟୀଙ୍କ ସଶସ୍ତ୍ର ସଂଗ୍ରାମ ଉପରେ ଆଲୋଚନା କରିଥିଲେ । ଡଃ. ଦାସ କହିଲେ ଯେ, ଘୁମୁସର ହେଉଛି ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ଆଦିପୀଠ । ଚକରା ବିଷୋୟୀ ଥିଲେ ଘୁମୁସର ମାଟିର ବ୍ରିଟିଶ ବିରୋଧୀ ବଳିଷ୍ଠ ସଂଗଠକ । ନିର୍ଭିକ ବୀରତ୍ୱ, ଅସୀମ ଧୈର୍ଯ୍ୟର ପ୍ରତୀକ ଥିଲେ ଚକରା ବିଷୋୟୀ । ତତ୍କାଳୀନ ଘୁମୁସରର ଐତିହାସିକ ଓ ଭୌଗୋଳିକ ପୃଷ୍ଠଭୂମି ସଂପର୍କରେ ସେ ଆଲୋକପାତ କରିବା ସହ ଚକରାଙ୍କ ପ୍ରଭାବଶାଳୀ ସାମରିକ ସଂଗଠନ ସଂପର୍କରେ ବକ୍ତବ୍ୟ ରଖିଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତରୁଣ କଳାକାର ସଂସ୍ଥାର କାର୍ଯ୍ୟକର୍ତା ତଥା ଖ୍ୟାତିସଂପନ୍ନ ଅନୁବାଦକ ଡଃ. ଅଜୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଢେଙ୍କାନାଳର ଅଲଟରନେଟିଭ୍ ରିଦମ୍ ଥିଏଟରର ଶିଳ୍ପୀମାନଙ୍କ ଦ୍ୱାରା ଚକରାବିଷୋୟୀଙ୍କ ଜୀବନୀ ଆଧାରିତ “ ମୁଁ ଚକରା କହୁଛି” ନାଟକ ପରିବେଷଣ କରାଯାଇଥିଲା । ନାଟକର ନିର୍ଦ୍ଦେଶକ ଦୀନେଶ ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।
