ବସ-ବାଇକ ଧକ୍କାରେ ଜଣେ ଗୁରୁତର ଉତ୍ୟକ୍ତ ଲୋକେ ବସରେ ନିଆଁ ଲଗାଇଦେଲେ
ବାରିପଦା : ବାରିପଦା ସହର ଦେଇ ଯାଇଥିବା ୧୮ନମ୍ୱର ଜାତୀୟ ରାଜପଥରେ ମୁର୍ଗାବାଡି ନିକଟ ଜୁବୁଲି ପେଟ୍ରୋଲ ପମ୍ପ ଆଗରେ ଗୋଟିଏ ବାଇକକୁ ରଂଜିତା ନାମକ ଏକ ଯାତ୍ରୀବାହୀ ବସ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟି ବାଇକ ଆରୋହୀ ଜଣକ ଗୁରୁତର ଭାବେ ଆହତ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ସମ୍ପୃ୍କ୍ତ ବସଟିକୁ ନିଆଁ ଲଗାଇ ଜାଳିଦେଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଛନ୍ତି । ସୂଚନା ମୁତାବକ ରଂଜିତା ବସଟି ଗ୍ୟାରେଜରେ ମରାମତି ପରେ ଚାଳକ ବସ ଚଳାଇ ଟେଷ୍ଟିଂ କରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଜୁବୁଲି ପେଟ୍ରୋଲ ପମ୍ପ ଆଗରେ ବସଟି ରଙ୍ଗ ସାଇଡରୁ ଡିଭାଇଡର ଆରପଟକୁ ଯିବାବେଳେ ବାଇକଟି ସାମନାକୁ ଆସି ଯିବାରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ବାରିପଦା ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏବାବଦରେ ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବାର ଜଣାଯାଇଛି ।
