ବାଲେଶ୍ୱର ସାଂସଦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ବାଲେଶ୍ୱର : ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅସୁସ୍ଥ । ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା ଜାରି ରହିଛି ।
ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କୁ ଗତ ୩ଦିନ ଧରି ତାଙ୍କୁ ଥଣ୍ଡା ଓ ଜ୍ୱର ଲାଗି ରହିଥିଲା । ସେ ସର୍କିଟ୍ ହାଉସ୍ରେ ରହି ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ମଧ୍ୟ ହୋଇଥିଲେ । ଜ୍ୱର ଛାଡ଼ି ଥିବାବେଳେ କାଶ ଲାଗି ରହିଛି । ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର ସନ୍ଧ୍ୟା ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ କୋଭିଡ୍ର ଆଣ୍ଟିଜେନ୍ ଟେଷ୍ଟ କରିଥିଲେ । ରିପୋର୍ଟ ନେଗେଟିଭ୍ ଆସିଛି । ସେହିପରି ଆର୍ଟି-ପିସିଆର୍ ଟେଷ୍ଟ ପାଇଁ ଦିଆଯାଇଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ହସ୍ପିଟାଲର ଆଇସିୟୁ ଚାମ୍ବରରେ ରଖାଯାଇ ଚିକିତ୍ସା ଜାରି ରହିଛି । ୨/୩ ଘଣ୍ଟା ପରେ ଘରକୁ ଫେରିବେ ବୋଲି ଏମ୍ପିଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ସୂଚନା ଦେଇଛନ୍ତି । ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଅସୁସ୍ଥତା ଖବର ଶୁଣି ବିଭିନ୍ନ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ସୂଚନା ଯେ, ଗତ କିଛିଦିନ ତଳେ ମଧ୍ୟ ସାଂସଦ ଶ୍ରୀ ଷଡ଼ଙ୍ଗୀ ସ୍ୱାସ୍ଥ୍ୟାବସ୍ଥା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।
