ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ଯାଜପୁର : ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ନନ୍ଦିପୁର ପଞ୍ଚାୟତ ବାବଲପୁର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଫେରିବା ରାସ୍ତାରେ ଦୁଷ୍କର୍ମ ଉଦ୍ୟମ ଘଟଣା ସ୍ଥାନୀୟ ଅଞ୍ଚଳରେ ପାଠ ପଢ଼ୁଥିବା ସ୍କୁଲ ଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଲୋକ ଲଜ୍ୟା ଭୟରେ ଘଟଣାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିନଥିବା ବେଳେ ପୁଲିସ୍ ବ୍ୟବସ୍ଥା ଉପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି । ସୂଚନା ମୁତାବକ ଶୁକ୍ରବାର ନନ୍ଦିପୁର ପଞ୍ଚାୟତ ବାବଲପୁର ଉଚ୍ଚ ବିଦ୍ୟାଳୟରେ ନିକଟସ୍ଥ ଶାସନ ଗ୍ରାମର ଜୈନିକା ଅଷ୍ଟମ ଶ୍ରେଣୀ ଛାତ୍ରୀ ବିଦ୍ୟାଳୟ ଛୁଟି ହେବା ପରେ ବାବଲପୁର -ଶାସନ ଗ୍ରାମ ରାସ୍ତାରେ ଘରକୁ ଫେରୁଥିବା ବେଳେ ପଡୋଶୀ ବିରୁହାଁ ପଞ୍ଚାୟତ ଗଙ୍ଗାଧରପୁର ଅଞ୍ଚଳର ଜଣେ ଅସାମାଜିକ ଯୁବକ ଛାତ୍ରୀ ଜଣଙ୍କୁ ରାସ୍ତାରେ ବଳ ପୂର୍ବକ ଅଟକାଇବା ସହିତ ଛାତ୍ରୀଙ୍କୁ ତାଙ୍କ ବାଇକରେ ବସାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସୂଚନା ଥାଉକି ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ଗ୍ରାମନନ୍ଦିପୁର ପଞ୍ଚାୟତ ନନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କ ମୃତ ଶରୀରକୁ ସନ୍ଦେହଜନକ ଅବସ୍ଥାରେ ପୋଖରୀ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ଅଦ୍ୟାବଧି ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ ।
