ଅଭାବନୀୟ ଘଟଣା ! ବିଛଣାରେ ଶୋଇଥିବା ବେଳେ ୮ ମାସର ଶିଶୁ କନ୍ୟାକୁ କାମୁଡ଼ିଲା ବିଷଧର ସାପ
ସାପ ସହିତ ଝିଅକୁ ଧରି ହସ୍ପିଟାଲରେ ପରିବାର ଲୋକେ
ଲଙ୍ଗଳେଶ୍ୱର : ଅଭାବନୀୟ ଘଟଣା । ବିଛଣାରେ ଶୋଇଥିବା ବେଳେ ୮ ମାସର ଝିଅକୁ କାମୁଡ଼ିଲା ବିଷଧର ସାପ । ପରିବାର ଲୋକେ ସାପ ସହିତ ଝିଅକୁ ଧରି ପହଞ୍ଚିଲେ ହସପିଟାଲ । ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ବାୟା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଘଟଣ ।
ସୂଚନା ଅନୁଯାୟୀ, ଗତ ରାତିରେ ବାୟା ଗ୍ରାମର ଦିଲ୍ଲିପ ପାଣିଗ୍ରାହୀଙ୍କର ୮ ମାସର ଶିଶୁ କନ୍ୟା ପ୍ରିୟଙ୍କା ମା’ବାପାଙ୍କ ସହ ମଶାରି ଭିତରେ ଶୋଇଥିଲେ । ଭୋର ସମୟରେ ଝିଅଟି ଚିତ୍କାର କରି କାନ୍ଦିବାରୁ ମା’ବାପା ଝିଅ ପାଖରେ ଏକ ବିଷଧର ସାପ ବୁଲୁଥିବାର ଦେଖିବାକୁ ପାଇଥିଲେ । ଏହାସହ ଝିଅର ହାତ ପାପୁଲିରେ ରକ୍ତ ବାହାରୁ ଥିବା ଦେଖି ସଙ୍ଗେ ସଙ୍ଗେ ପରିବାର ଲୋକେ ଶିଶୁ କନ୍ୟା ସମେତ ଉକ୍ତ ସାପକୁ ଧରି ଏକ ଡବାରେ ପୂରାଇ ନିକଟସ୍ଥ ବସ୍ତା ହସ୍ପିଟାଲ ପହଞ୍ଚିଥିଲେ । ମାତ୍ର ସେଠାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ । ଝିଅର ଜୀବନ ବଞ୍ଚାଇବା ପାଇଁ ବିଷାକ୍ତ ସାପଟିକୁ ଧରି ହସ୍ପିଟାଲକୁ ଆସିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
