୮ ପରାଜୟ ସହ ଅଲୋଡା ରେକର୍ଡ ! ପ୍ଲେ ଅଫରୁ ବାଦ୍ ପଡିଲା ମୁମ୍ବାଇ
ମୁମ୍ବାଇ : ଆଇପିଏଲ୍-୨୦୨୨ରେ ଶୋଚନୀୟ ପରାଜୟଧାରା ଜାରି ରଖିଛି ଆଇପିଏଲ୍ର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ । ଚଳିତ ସିଜିନରେ ଖେଳିଥିବା ସମସ୍ତ ୮ଟି ଯାକ ମ୍ୟାଚ୍ ହାରିଛି ମୁମ୍ବାଇ। ମୁମ୍ବାଇ ପ୍ରଥମ ଦଳ ଭାବେ କୌଣସି ଋତୁର ପ୍ରଥମ ୮ଟି ଯାକ ମ୍ୟାଚ୍ ହାରିବା ଭଳି ଲଜ୍ଜାଜନକ ପ୍ରଦର୍ଶନ କରିଛି। ଆଉ ପରାଜୟର ଅଲୋଡା ରେକର୍ଡ ମଧ୍ୟ ନିଜ ନାମରେ କରି ଚାଲିଛି । ଏହି ପରାଜୟ ସହ ମୁମ୍ବାଇ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରୁ ବାଦ୍ ପଡିଛି। ରୋହିତ ଶର୍ମାଙ୍କ ଦଳ ଏକଦା ଆଇପିଏଲ୍ର ଅପ୍ରତିଦ୍ବନ୍ଦ୍ବୀ ନାୟକର ମାନ୍ୟତା ଲାଭ କରିଥିଲା ବେଳେ ଚଳିତବର୍ଷ ନାଟକୀୟ ଢଙ୍ଗରେ ଗୋଟିଏ ପରେ ଗୋଟିଏ ପରାଜୟ ବରଣ କରି ଚାଲିଛି। ମୁମ୍ବାଇ କିନ୍ତୁ ଆଶ୍ଚର୍ଯ୍ୟଜନକ ଏବଂ ଅବିଶ୍ବସନୀୟ ଭାବେ ଗୋଟିଏ ହେଲେ ବି ମ୍ୟାଚ୍ ଜିତି ନପାରି ପଏଣ୍ଟ ତାଲିକାର ସବାଶେଷ ସ୍ଥାନରେ ପଡ଼ି ରହିଛି। ଯାହା ମୁମ୍ବାଇ ପ୍ରଶଂସକଙ୍କୁ ବ୍ୟଥିତ କରିଛି।
ରବିବାର ଖେଳାଯାଇଥିବା ଆଇପିଏଲର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁମ୍ବାଇକୁ ୩୬ ରନରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲଙ୍କ ଅପରାଜିତ ୧୦୩ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଓପନର କ୍ବିଣ୍ଟନ ଡି’ କକ୍ ୧୦ ରନ କରି ଆଉଟ ହୋଇଥିଲେ। ଦଳୀୟ ସ୍କୋର ୮୫ ରନରେ ମନୀଷ ପାଣ୍ଡେ ୨୨ ରନ କରି ପାଭିଲିୟନ ଫେରିଥିଲେ। ଗୋଟିଏ ପଟେ କେଏଲ ରାହୁଲ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ବାକି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମାର୍କସ୍ ଷ୍ଟୋଇନିସ୍ ୦ ରନ, କ୍ରୁନାଲ ପାଣ୍ଡ୍ୟା ୧ରନ, ଦୀପକ ହୁଡ୍ଡା ୧୦ରନ, ଆୟୁସ୍ ବାଦୋନୀ ୧୪ରନ କରି ଆଉଟ ହୋଇଥିଲେ। ଅଧିନାୟକ ଲୋକେସ୍ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୬୨ ବଲ ଖେଳି ୧୨ଚୌକା ଏବଂ ୪ଟି ଛକା ସହାୟତାରେ ୧୦୩ ରନ କରି ଅପରାଜିତ ଅଛନ୍ତି। ଚଳିତ ଆଇପିଏଲରେ ରାହୁଲଙ୍କ ଏହା ହେଉଛି ଦ୍ଵିତୀୟ ଶତକ ଏବଂ ମୁମ୍ବାଇ ବିରୋଧରେ ଏହା ତାଙ୍କର ତୃତୀୟ ଶତକ। ଜାସନ୍ ହୋଲଡର ୦ ରନ କରି ଅପରାଜିତ ଥିଲେ। ରାହୁଲଙ୍କ ଶତକ ସତ୍ତ୍ଵେ ଲକ୍ଷ୍ନୌ ବିଶାଳ ସ୍କୋର କରି ପାରିନାହିଁ। ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କିରଣ ପୋଲାର୍ଡ ୨ ଓଭରରେ ୮ରନ ଦେଇ ୨ ଓ୍ବିକେଟ୍ ଏବଂ ରିଲେ ମେରିଡିଥ୍ ୪ ଓଭରରେ ୪୦ରନ ଦେଇ ୨ଟି ଓ୍ବିକେଟ ନେଇଛନ୍ତି। ଡାନିଏଲ୍ ସାମସ୍ ଗୋଟିଏ ଓ୍ଵିକେଟ୍ ନେଇଥିେଲ।
୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଏଥର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ୭.୧ ଓଭରରେ ୪୯ ରନ ଯୋଡିଥିଲେ। ପୁଣି ଥରେ ଇଶାନ କିଷନ ଦଳକୁ ନିରାଶ କରି ୨୦ ବଲରୁ ୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଦଳ ସଅଳ ୩ଟି ଓ୍ଵିକେଟ୍ ହରାଇଥଲା। ଡେଓ୍ଵାର୍ଲ୍ଡ ବ୍ରେଭିସ୍(୩) ପାଭିଲିୟନ ଫେରିଥିଲେ। କ୍ରିଜରେ ସେଟ୍ ହୋଇଥିବା ରୋହିତ ଶର୍ମା ୩୧ ବଲରୁ ୫ ଚୌକା ଏବଂ ୧ ଛକା ସହ ୩୯ ରନ କରି ଆଉଟ୍ ହେବା ମୁମ୍ବାଇକୁ ବଡ ଝଟକା ଲାଗିଥିଲା। ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ(୭) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୬୭ ରନ ସ୍କୋରରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ମୁମ୍ବାଇର ଇନିଂସକୁ ତିଳକ ବର୍ମା ଏବଂ କିରଣ ପୋଲାର୍ଡ ଆଗକୁ ନେଇଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟରେ ୫୭ ରନ ଯୋଡିଥିଲେ ହେଁ ବିଜୟ ପାଇଁ ତାହା ଯଥେଷ୍ଟ ନଥିଲା। ବର୍ମା ୨୭ ବଲରୁ ୨ଟି ଲେଖାଏଁ ଚୌକା ଏବଂ ଛକା ସହ ୩୮ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ କିରଣ ପୋଲାର୍ଡ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ସେ ୧୯ ରନ କରି ଆଉଟ୍ ଥିଲେ। ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା। ଗୁଜରାଟ ପକ୍ଷରୁ କୃଣାଲ ପାଣ୍ଡ୍ୟା ୧୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ମହସିନ ଖାନ, ଜାସନ ହୋଲଡର, ରବି ବିଷ୍ଣୋଇ ଓ ଆୟୁଷ ବଦୋନୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
