୭୮ଜଣ ଯୁବତୀଙ୍କ ତାମିଲନାଡୁ ଯାତ୍ରା ନିଯୁକ୍ତି ମେଳା ମାଧ୍ୟମରେ ଟାଟା ଇଲେକ୍ଟ୍ରୋନିକ ପ୍ରାଇଭେଟ ଲିମିଟେଡରେ ପାଇଥିଲେ ନିଯୁକ୍ତି
ବାରିପଦା : ଓଡ଼ିଶା ସରକାରଙ୍କ ରାଜ୍ୟ ଶ୍ରମ ବିଭାଗ, ସ୍କିଲ ଇନ ଓଡ଼ିଶା, ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଟାଟା ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବାରିପଦା ଠାରେ ଆୟୋଜିତ ନିଯୁକ୍ତି ମେଳାରେ ମନୋନୀତ ହୋଇଥିବା ମୟୁରଭଞ୍ଜ ଜିଲ୍ଲାରୁ ୭୮ଜଣ ଯୁବତୀଙ୍କୁ ତାମିଲନାଡୁ ଠାରେ ପ୍ରାଥମିକ କର୍ମ ନିଯୁକ୍ତି ମିଳିଥିବାରୁ ଆଜି ବାରିପଦାରୁ ୨ଟି ବସ ଯୋଗେ ରାଜ୍ୟ ସରକାରଙ୍କ ତତ୍ୱାବଧାନ ଓ ସହଯୋଗ କ୍ରମେ ଭୁବନେଶ୍ୱର ଯାତ୍ରା କରିଥିବା ବେଳେ, ସେଠାରୁ ତାମିଲନାଡୁ ରାଜ୍ୟର ହସୁର ସ୍ଥିତ ନିକ ନିଯୁକ୍ତି ସ୍ଥଳକୁ ଯାତ୍ରା କରିବେ ବୋଲି ଜଣା ଯାଇଛି । ତେବେ ଆଜି ବାରିପଦା ଠାରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏହି ଦୁଇଟି ବସକୁ ସବୁଜ ପାତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ, ଅନ୍ୟ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ମୁତାବକ ଗତ ସେପ୍ଟମ୍ବର ୨୬ ତାରିଖରେ ବାରିପଦାର ପୂର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ. ପରିସରରେ ଟାଟା ଇଲେକ୍ଟ୍ରୋନିକ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଛାତ୍ରୀମାନଙ୍କୁ ନେଇ ଏକ କର୍ମନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ୱର ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ମୋଟ ୧୭୨ ଜଣ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଟାଟା କମ୍ପାନୀରେ ନିଯୁକ୍ତି ମିଳିଥିଲା । ତେବେ ମୟୁରଭଞ୍ଜରୁ ଆଜି ନିଯୁକ୍ତି ପାଇଥିବା ଯୁବତୀ ମାନେ କର୍ମସ୍ଥଳକୁ ଯାତ୍ରା କରିଥିବା ବେଳେ, ଯୁବତୀ ଓ ତାଙ୍କ ଅଭିଭାବକଙ୍କ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି ଏବଂ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।
