୭ ବର୍ଷୀୟ ନାବାଳିକା ବଳାତ୍କାରୀ ଗିରଫ
ବାଲେଶ୍ୱର : ବାଲିଆପାଳ ଥାନା ଅଞ୍ଚଳର ୭ ବର୍ଷର ନାବାଳିକାକୁ ବଳାତ୍କାର କରି ଫେରାର ଥିବା ବଳାତ୍କାରୀକୁ ବାଲିଆପାଳ ପୋଲିସ ସୋମବାର ଛତିଶଗଡ଼ର ଭିଲେଇ ଅଞ୍ଚଳରୁ ଗିରଫ କରିବାରେ ସମର୍ଥ ହୋଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ଖଗଡ଼ାପାଳ ଗ୍ରାମର ଭାସ୍କର ଚନ୍ଦ୍ର ସାହୁ (୫୦) ।
ଭାସ୍କର ଚଳିତ ମାସ ୧୬ ତାରିଖ ନିଜ ଘରେ ଭଡ଼ା ସୂତ୍ରରେ ୨ ବର୍ଷ ଧରି ରହିଆସୁଥିବା ଥିବା ଜୈନିକ ଡ୍ରାଇଭରର ୭ବର୍ଷର ନାବାଳିକା ଝିଅକୁ ବୁଝେଇ ସୁଝେଇ ନିଜ ଶୋଇବା ଘରେ ବଳାତ୍କାର କରି ସମ୍ବେଦଶୀଳ ଅଙ୍ଗରେ କ୍ଷତ ସୃଷ୍ଟି କରିଥିବା ନେଇ ପୀଡ଼ିତାର ମାଆ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁ ଏକ ମାମଲା (ନଂ. ୧୬୪/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଆଇଆଇସି ଶ୍ରୀ ସାହୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦୁଇଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରି ଗୋଟିଏ ଟିମ୍କୁ ନିଜ ଥାନା ଅଞ୍ଚଳରେ ରଖି ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଉଥିବା ବେଳେ ଅନ୍ୟ ଏକ ଟିମ୍କୁ ଏଏସ୍ଆଇ ଫକୀର ଚରଣ ପ୍ରଧାନଙ୍କ ନେତୃତ୍ୱରେ କନଷ୍ଟେବଳ ଜୟ ସେନ ମୁଦୁଲି ସହିତ ଅନ୍ୟ ପୋଲିସକୁ ରାଜ୍ୟ ବାହାର ଛତିଶଗଡ଼କୁ ପଠାଇଥିଲେ । ଏଏସ୍ଆଇ ଶ୍ରୀ ପ୍ରଧାନ ଦୁଇଦିନ ଅକ୍ଲାନ୍ତ ପରିଶ୍ରମ କରି ଅଭିଯୁକ୍ତ ଭାସ୍କରକୁ ଛତିଶଗଡ଼ର ଭିଲେଇରୁ ଗିରଫ କରି ମଙ୍ଗଳବାର ରାତିରେ ବାଲିଆପାଳ ଥାନରେ ହାଜର କରିଥିଲେ । ବୁଧବାର ଅଭିଯୁକ୍ତ ଭାସ୍କରର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଭାସ୍କରକୁ ବିଚାରାଧୀନ ହାଜତକୁ ପଠାଇ ଦିଆଯାଇଥିବାର ସୂଚନା ମିଳିଛି ।
