ବାଲେଶ୍ୱର : ସତ୍ୟମ ଡେଭଲପରର ମାଲିକଙ୍କୁ ହତ୍ୟା ଘଟଣାରେ ୭ ଗିରଫ
- ଜମିଜମା ବିବାଦରୁ ହତ୍ୟାକାଣ୍ଡ ହୋଇଥିଲା : ଏସପି
ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଂଚଳ ଥାନା ଅଧୀନ ବାଇପାସ୍ ରାସ୍ତାର ସତ୍ୟନଗରଠାରେ ଗତ ୨୮ ତାରିଖ ସନ୍ଧ୍ୟାରେ ଜମି ବ୍ୟବସାୟୀ ରମେଶ ବେହେରା (୪୦) ହତ୍ୟା କାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଶୁକ୍ରବାର ମଧ୍ୟାହ୍ଣରେ ଏନେଇ ଏସପି ସୁଧାଂଶୁ ଶେଖର ମିଶ୍ର ଶିଳ୍ପାଂଚଳ ଥାନାରେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସୂଚନାନୁଯାୟୀ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ, ୩ଜଣ ସୁପାରି କିଲରଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ତେଲେଙ୍ଗା କଟୁରୀ, ଗୋଟିଏ ଗୁପ୍ତି, ଗୋଟିଏ କ୍ରେଟା କାର୍, ଗୋଟିଏ ବୋଲେରା, ଗୋଟିଏ ଅଟୋ ରିକ୍ସା, ଦୁଇଟି ମୋଟର ସାଇକେଲ ଓ ରକ୍ତ ଲାଗିଥିବା ୪୨ ହଜାର ଟଙ୍କା ଜବତ ହୋଇଛି । ଗିରଫ ହୋଇଥିବା ଯୁବକଙ୍କ ମଧ୍ୟରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଟୁନା ଓରଫ ଚିତରଞ୍ଜନ ପାଣିଗ୍ରାହୀ (୪୭) ଏବଂ ହତ୍ୟା କରିଥିବା ଅଚ୍ୟୁତପୁର ଗାଁର ରଞ୍ଜନ ସାହୁ (୨୮) ଓ ଶ୍ରୀକୃଷ୍ଣପୁରର ସମ୍ଭୁନାଥ ବିଶୋଇ ଓରଫ ଶମ୍ଭୁଆ (୨୫), ଘଟଣାକୁ ସଫଳ ରୂପ ଦେବାରେ ମୁଖ୍ୟ ସହଯୋଗୀ ଶ୍ରୀକୃଷ୍ଣପୁରର କମଲ ବେହେରା (୨୧) ଏବଂ ସହଯୋଗ କରିଥିବା ଅଚ୍ୟୁତପୁରର ଗୋପୀନାଥ ପାକଳ (୨୭), ମୟୂରଭଞ୍ଜ ବଡ଼ସାହି ଥାନା ଚେଙ୍ଗୁଆ ଗାଁର ମାନସ କୁମାର ପ୍ରଧାନ (୨୨), ବରହମପୁର ଥାନା ଅନ୍ତର୍ଗତ ଭୋଗଡିଆ ଗାଁର ଭଞ୍ଜୟ କୁମାର ବେହେରା ଓରଫ ଭଞ୍ଜୁ । ଅଭିଯୁକ୍ତଙ୍କୁ ଶୁକ୍ରବାର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି ।
ବାଇପାସ ରାସ୍ତା ପାଶ୍ୱର୍ ଶ୍ରୀକୃଷ୍ଣପୁର ମୌଜାରେ ଜଣେ ବ୍ୟକ୍ତିଙ୍କ ୨.୨୭ ଏକର ଜମି ରହିଛି । ସେହି ଜମିକୁ ଚିତରଞ୍ଜନ କିଣିବାକୁ ଚେଷ୍ଟା କରିଥିବାବେଳେ ନୁନୁ ଅଗ୍ରୀମ ଟଙ୍କା ଦେଇ ଚୁକ୍ତି କରିନେଇଥିଲା । ସେହିଠାରେ ହିଁ ଚିତରଞ୍ଜନର ଜମି ଥିବାରୁ ତା ଜମିକୁ ଯିବାକୁ ରାସ୍ତା ରହିନଥିଲା । ଅନ୍ୟତମ କାରଣଭାବେ ରଞ୍ଜନ ଓ ଶମ୍ଭୁଆ ଏକ ଜମି ରମେଶକୁ ଦେଇଥିଲେ । କିନ୍ତୁ ରମେଶ ସେମାନଙ୍କୁ କମିଶନ ଟଙ୍କା ନଦେଇ ଅନ୍ୟ ଜଣଙ୍କ ମାଧ୍ୟମରେ ଉକ୍ତ ଜମିକୁ କିଣି ନେଇଥିଲେ । ତେଣୁ ସେମାନଙ୍କର ମଧ୍ୟ ନୁନୁଙ୍କ ଉପରେ ରାଗ ରହିଥିଲା । ପୂର୍ବରୁ ଚିତ ଏବଂ ଏବେ ରଞ୍ଜନ ଓ ଶମ୍ଭୁ ମିଶି ରମେଶକୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରିଥିଲେ । ୨୮ ତାରିଖରେ ତାକୁ ସଫଳ ରୂପ ମଧ୍ୟ ଦେଇଥିଲେ । ଏଥିପାଇଁ ମୋଟ ୫୦ ଲକ୍ଷ ଟଙ୍କାର ଡିଲ ହୋଇଥିଲା ଓ ସେଥିରୁ କିଛି ନଗଦ ଟଙ୍କା ଓ କିଛି ଜମିଜମା ଦିଆନିଆ ହୋଇଥାଆନ୍ତା ବୋଲି ପୁଲିସ ତଦନ୍ତରୁ ଜାଣିପାରିଛି । ଘଟଣାଦିନ ୧ଲକ୍ଷ ଟଙ୍କା ଦିଆଯାଇଥିବା ପୁଲିସ କହିଛି । ତେବେ ସମ୍ପୁର୍ଣ୍ଣ ତଦନ୍ତ ସରିବା ପରେ ଯାହା କିଛି କହିବା ସମ୍ଭବ ହେବ ବୋଲି ଏସପି ଶ୍ରୀ ମିଶ୍ର କହିଥିଲେ ।
ସୂଚନା ଯେ, ଅଗଷ୍ଟ ମାସ ୨୮ ତାରିଖ ଶନିବାର ସନ୍ଧ୍ୟାରେ ଚିରଞ୍ଜନ ଫୋନ କରି ବିଶ୍ୱାସ ଦେବା ସହ ରମେଶକୁ ସତ୍ୟନଗର ନିକଟକୁ ଡାକିଥିଲେ । ପୂର୍ବରୁ ରଞ୍ଜନ ଓ ଶମ୍ଭୁ ସେଠାରେ ଜଗି ରହିଥିଲେ । ରମେଶ ସତ୍ୟନଗରରେ ପହଁଚି ସ୍କୁଟି ରଖିବା ମାତ୍ରେ ରଞ୍ଜନ ଓ ଶମ୍ଭୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୁଣ୍ଡକୁ ବାରମ୍ବାର ଚଟା ମାରିଥିଲେ । ଫଳରେ ରମେଶଙ୍କର ସେହିଠାରେ ମୃତ୍ୟୁ ହୋଇଥିଲା । ଘଟଣା ପ୍ରଚାରିତ ହେବା ପରେ ଥାନା ଅଧିକାରୀ ମିନତି ବିଶ୍ୱାଳ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଏନେଇ ଶିଳ୍ପାଂଚଳ ଥାନାରେ ୧୩୬/୨୦୨୧ ନମ୍ବରରେ ଧାରା ୩୦୨ ଏବଂ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୪ ଲଗାଇ କିଛି ଅଜଣା ଲୋକଙ୍କ ନାମରେ ମାମଲା ଦାୟର କରିଥିଲା । ଏହା ପରେ ପୁଲିସ କଲ ଡିଟେଲ୍ସ ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କ ସହାୟତା ନେବା ସହିତ ତଥ୍ୟ ସଂଗ୍ରହ କରିଥିଲା । ଅପରାଧୀଙ୍କୁ ଧରିବାକୁ ଜିଲା ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା ।


