ମାର୍କୋଣା ରଘୁନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ୬୭ତମ ବାର୍ଷିକ ସାଂସ୍କୃତିକ ଉତ୍ସବ
ସିମୁଳିଆ : ମାର୍କୋଣା ରଘୁନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ୬୭ତମ ବାର୍ଷିକ ସାଂସ୍କୃତିକ ଉତ୍ସବ ଓ ଅବସର ପ୍ରଧାନଶିକ୍ଷକ ମୋହନ ଚରଣ ଖିଲାରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅନୁଷ୍ଠିତ ହୋଇଛି । ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ମଞ୍ଚ ସଞ୍ଚାଳନାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ପ୍ରଫେସର ଡ. ପାର୍ଥ ସାରଥୀ ଦାସ ଗୁଣାତ୍ମକ ଶିକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ଶିକ୍ଷା ସାର୍ଟିଫିକେଟ୍ ପାଇଁ ନୁହଁ, ଜ୍ଞାନ ଆହରଣ ପାଇଁ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଛାତ୍ରୀଛାତ୍ରମାନଙ୍କୁ ଶୃଙ୍ଖଳିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ପୁରାତନ ଛାତ୍ର ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋକୁଳାନନ୍ଦ ମିଶ୍ର, ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ସରପଞ୍ଚ କମଳାକାନ୍ତ ନାୟକ, ଏମ୍ପି ପ୍ରତିନିଧି ରଞ୍ଜନ କୁମାର ବେହେରା, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ନୃସିଂହଚରଣ ବେହେରା, ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର, ଜୟନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ଗତ ନଭେମ୍ବର ୩୦ରେ ଅବସର ନେଇଥିବା ପ୍ରଧାନଶିକ୍ଷକ ମୋହନ ଚରଣ ଖିଲାରଙ୍କୁ ବିଦାୟକାଳନୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିଥି ରୂପେ ଏହି ବିଦ୍ୟାଳୟର ସମସ୍ତ ପ୍ରାକ୍ତନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷାକର୍ମୀ ଓ ପୁରାତନ ଛାତ୍ରୀଛାତ୍ର ଯୋଗଦେଇଥିଲେ । ସେହିପରି କ୍ରୀଡ଼ା ଓ ଶିକ୍ଷାକ୍ଷେତ୍ରରେ କୃତି ଛାତ୍ରୀଛାତ୍ର ସୁଚିସ୍ମିତା ନାୟକ, ଲକ୍ଷ୍ମୀପ୍ରିୟା ସିଂ, ଭାନୁପ୍ରତାପ ସିଓଳ, କୃଷ୍ଣାରାଣୀ ପାଢ଼ୀ, ସରସ୍ୱତୀ ମଲ୍ଲିକ ଓ ସୂର୍ଯ୍ୟକାନ୍ତ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷୟିତ୍ରୀ ପ୍ରଣତୀ ମହାନ୍ତି ବାର୍ଷିକ ବିବରଣୀ ପାଠ ଓ ଶିକ୍ଷୟିତ୍ରୀ କାଞ୍ଚନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
