ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ୬୭ ଲକ୍ଷ ଉନ୍ନତ ମାନର ଆଙ୍ଗୁଳିକା ଯାଆଁଳ ଛଡାଯିବ
ଭୁବନେଶ୍ୱର : ନଦୀରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ଛାଡ଼ିବା ଦ୍ୱାରା ନଦୀରେ ଜୈବବିବିଧତାର ସୁରକ୍ଷା ସହ ପ୍ରାକୃତିକ ପ୍ରଜନନ ମାଧ୍ୟମରେ ନଦୀଗୁଡ଼ିକରେ ମାଛ ବଂଶ ବୃଦ୍ଧି କରାଯାଇପାରିବ । ଉନ୍ନତ ଆଙ୍ଗୁଳିକା ଯାଆଁଳ ନିୟମିତ ନଦୀରେ ଛାଡ଼ିବା ଦ୍ୱାରା ମାଛ ଉତ୍ପାଦନ ଓ ଉତ୍ପାଦନ ହାର ବୃଦ୍ଧି ପାଇବ । ଏହା ଦ୍ୱାରା ମତ୍ସ୍ୟଜୀବୀଙ୍କ ଆର୍ଥକ ବିକାଶ ଓ ନୂତନ ନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଶୁକ୍ରବାର ମହାନଦୀର ମୁଣ୍ଡଳୀ ନିକଟସ୍ଥ କଟକିଆ ସାହି ଗ୍ରାମ ପଞ୍ଚାୟତ ନିକଟରେ ମତ୍ସ୍ୟସଂପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ନଦୀରେ ଉନ୍ନତ ମାଛ ଯାଆଁଳ ଛଡ଼ାଯିବା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ମହାନଦୀରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ୮୦ ମିଲିମିଟରରୁ ୧୦୦ ମିଲିମିଟର ବିଶିଷ୍ଟ ଉନ୍ନତ ମାନର ରୋହି, ଭାକୁର, ମିରିକାଳି ଓ କଳାବଇଁଶୀ ସହିତ ଅନ୍ୟ ମାଇନର କାର୍ପ ପ୍ରଜାତି ଯାଆଁଳ ମୁଖ୍ୟସ୍ରୋତରେ ଛାଡ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଭାଗ ପକ୍ଷରୁ ନଦୀରେ ମତ୍ସ୍ୟସଂପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଯାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । ଏହା ଦ୍ୱାରା ମହାନଦୀର ଉତ୍କୃଷ୍ଟ ମତ୍ସ୍ୟସଂପଦର ସୁରକ୍ଷା ଓ ଏହା ଉପରେ ନିର୍ଭରଶୀଳ ୨୭୩ଟି ପ୍ରାଥମିକ ମତ୍ସ୍ୟଜୀବୀ ସମିତିର ପ୍ରାୟ ୪୨ ହଜାର ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ସୁରକ୍ଷିତ କରାଯାଇପାରିବ । ଏହା ଦ୍ୱାରା ଲୋକମାନଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବା ସହ ପୁଷ୍ଟିକର ଖାଦ୍ୟ ଉପଲବ୍ଧ କରାଯାଇପାରିବ ଏବଂ ମାଛର ଆଭ୍ୟନ୍ତରୀୟ ଚାହିଦା ପୂରଣ ସହିତ ରପ୍ତାନୀ ବୃଦ୍ଧି ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ମତ୍ସ୍ୟ ସମବାୟ ବିକାଶ ନିଗମ ଦ୍ୱାରା ସମୁଦାୟ ୮ ଲକ୍ଷ ୫୦ ହଜାର ଉନ୍ନତ ମାନର ରୋହି, ଭାକୁର ଏବଂ ମିରିକାଳିର ଆଙ୍ଗୁଳିକା ଯାଆଁଳ ନଦୀରେ ଛଡ଼ାଯାଇଥିଲା । ଏହି ବର୍ଷ ରାଜ୍ୟର ଋଷିକୂଲ୍ୟା, ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀ ଆଦି ନଦୀରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ପ୍ରାୟ ୬୭ ଲକ୍ଷ ଉନ୍ନତ ମାନର ଆଙ୍ଗୁଳିକା ଯାଆଁଳ ଛାଡ଼ିବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଯୋଗଦେଇ ନଦୀରେ ଉନ୍ନତ ମାଛ ଯାଆଁଳ ଛାଡ଼ିବାର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ଏହା ଦ୍ୱାରା ନଦୀରେ ମାଛବଂଶ ଲୋପର ନିରାକରଣ ସହ ପ୍ରାକୃତିକ ଜଳସଂପଦର ଦୀର୍ଘସ୍ଥାୟୀ ସୁରକ୍ଷା କରିହେବ । ଏହି କାର୍ଯ୍ୟକ୍ରମ ଦ୍ୱାରା ନଦୀ ସୁରକ୍ଷା, ଜୈବବିବିଧତା ରକ୍ଷା ଉପରେ ଜନସଚେତନତା ସୃଷ୍ଟି କରାଯିବ ବୋଲି ସଚିବ ଶ୍ରୀ ବଶିଷ୍ଠ କହିଥିଲେ ।କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କଟକିଆ ସାହି ଗ୍ରାମ ପଂଚାୟତର ଚାରିଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପଂଚାୟତ ପୋଖରୀରେ ମାଛଚାଷ କରିଥିବାରୁ ରିହାତି ରାଶି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କଟକର ଅତିରିକ୍ତ ଜିଲ୍ଲାପାଳପୂର୍ଣ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ମତ୍ସ୍ୟ ନିର୍ଦ୍ଦେଶକ ଶଶିକାନ୍ତ ଆଚାର୍ଯ୍ୟ, ମତ୍ସ୍ୟ ଉପନିର୍ଦ୍ଦେଶକ ସୀମାଂଚଳ ବେହେରା, ଓଡ଼ିଶା ମତ୍ସ୍ୟ ସମବାୟ ବିକାଶ ନିଗମର କାର୍ଯ୍ୟକାରୀ ଅଧିକାରୀ ସୁବ୍ରତ କୁମାର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ରଥ, କଟକିଆ ସାହି ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ମାନସୀ ରାଉତ, ସମିତି ସଭ୍ୟା ଶ୍ରୀମତୀ ପ୍ରତିମା ପ୍ରଧାନଙ୍କ ସମେତ ନାରାୟଣ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ଦାସପୁର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, କଟକିଆ ସାହି ଗ୍ରାମ ପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଓ ବହୁ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀ କୁଳ ଯୋଗଦେଇଥିଲେ ।
