ବିଶ୍ୱକପ୍ ପାଇଁ ରାଜଧାନୀରେ ମୁତୟନ ହେବେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ
ଭୁବନେଶ୍ୱର : ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକିର ମହାକୁମ୍ଭ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏୟାର ପୋର୍ଟ ଅଥରିଟି ଓ ଭୁବନେଶ୍ୱର ଡିସିପି । ବିଶ୍ୱକପ ପାଇଁ ରାଜଧାନୀରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । କେବଳ ବିମାନବନ୍ଦରରେ ମୁତୟନ ହେବେ ଦୁଇ ପ୍ଲାଟୁନ୍ ଫୋର୍ସ । ଏଥିସହ ଖେଳାଳିମାନେ ରହୁଥିବା ହୋଟେଲରେ ମଧ୍ୟ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ବିଶ୍ୱକପ୍ ହକି ପୂର୍ବରୁ ବିମାନବନ୍ଦରରେ ସୁରକ୍ଷାବ୍ୟବସ୍ଥାର ସମୀକ୍ଷା କରିବା ପରେ ଏପରି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଆସନ୍ତା ୪ ତାରିଖରୁ ଖେଳାଳି, କୋଚ୍ ଓ ଟେକନିକାଲ ଷ୍ଟାଫ୍ ଭୁବନେଶ୍ୱରରେ ପହଂଚିବେ । ଖେଳାଳିମାନେ ବିମାନବନ୍ଦରରେ ପହଂଚିବା ପରେ ସେମାନେ କିପରି ସହଜରେ ହୋଟେଲ ଓ ଷ୍ଟାଡିୟମରେ ପହଂଚି ପାରିବେ ଓ ସେମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଏହାସହ ଖେଳାଳିମାନେ କେଉଁ ଗେଟ୍ ରେ ବିମାନବନ୍ଦରରୁ ବାହାରିବେ, ସେମାନଙ୍କ ବସ୍ ମାନବନ୍ଦରରେ କେଉଁଠି ଲାଗିବ ଓ ଖେଳାଳିମାନେ ନିରାପଦ ଭାବରେ କିପରି ଯିବା ଆସିବେ କରିବେ ସେନେଇ ଆଲୋଚନା ହୋଇଥିଲା । ଡିସିପି ଆହୁରି କହିଛନ୍ତି, ବିମାନବନ୍ଦରରେ ୩ ତାରିଖରୁ ପୋଲିସ ଫୋର୍ସ ମୁତୟନ ରହିବେ । ବିମାନବନ୍ଦରରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଜଣେ ଡିସିପି ଏପରପୋର୍ଟ ଚାର୍ଜରେ ରହିବେ । ଡିସିପି ଅଣ୍ଡରରେ ୪ଜଣ ଏସିପି ଓ ୪ ଜଣ ଇନ୍ସପେକ୍ଟର, ୧୬ ଜଣ ସବ୍ ଇନ୍ସପେକ୍ଟର ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ରହିବେ । ସୂଚନାଯୋଗ୍ୟ ଯେ ଆସନ୍ତା ଜାନୁଆରୀ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡିଶାରେ ହକି ପୁରୁଷ ବିଶ୍ୱକପ୍ ଅନୁଷ୍ଠିତ ହେବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସମେତ ରାଉରକେଲାରେ ହକି ମ୍ୟାଚ୍ ଗୁଡିକ ଖେଳାଯିବ ।
