୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର-୨୦୨୧ରେ ସମ୍ମାନିତ କଲେ ରାଷ୍ଟ୍ରପତି
- ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ
ନୂଆଦିଲ୍ଲୀ : ପବିତ୍ର ଗୁରୁ ଦିବସ ଅବସରରେ ରବିବାର ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର-୨୦୨୧ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ଦେଶର ମୋଟ୍ ୪୪ ଜଣ ଶିକ୍ଷକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ବି ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ରାଷ୍ଚ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମାନିତ କରିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ଶିକ୍ଷକଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ଏଥିସହ ଗୁରୁ-ଶିଶ୍ୟ ପରମ୍ପରା ବାବଦରେ ମତ ରଖିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭାର ବହନ କରିବା ପରେ ସେ ନିଜ ଗୁରୁଙ୍କ ପାଖକୁ ଯାଇ ଆଶୀର୍ବାଦ ନେଇଥିବା କଥା ମଧ୍ୟ କହିଥିଲେ ଶ୍ରୀ କୋବିନ୍ଦ। ଭର୍ଚୁଆଲ ମୋଡ଼୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଯେ, ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ହେଉଛନ୍ତି ଭଦ୍ରକ ଜିଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲା କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ସେଠୀ। ଭଦ୍ରକର ଶ୍ରୀ ଶତପଥୀ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମିରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ୨୦୦୩ ମସିହାରୁ ସେ ସ୍କୁଲ ଓ ଗରିବ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କାମ କରୁଛନ୍ତି। ଏଥିପାଇଁ ସେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିଛନ୍ତି। ସେହିପରି ଗଞ୍ଜାମର ଶ୍ରୀ ସେଠୀ ଆଇସିଟି ଏବଂ ସଙ୍ଗୀତ ଦ୍ଵାରା ଶିକ୍ଷାଦାନକୁ ଅଭିନବ ଏବଂ ରୋମାଞ୍ଚକର କରିଛନ୍ତି। ପ୍ରଥମରୁ ହିଁ ସେ ସଂଗୀତ ମାଧ୍ୟମରେ ଶିକ୍ଷକତା କରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ସଂଗୀତ ମାଧ୍ୟମରେ ଶିକ୍ଷକତା ସହଜ ଓ ବୋଧଗମ୍ୟ ହୋଇଥାଏ ବୋଲି କହିଛନ୍ତି ଅଜିତ। ଏଥିପାଇଁ ସେ ପିଲାମାନଙ୍କୁ ସଂଗୀତ ମାଧ୍ୟମରେ ପାଠ ପଢାଇଥାନ୍ତି।
