ସିମୁଳିଆ ମହାବିଦ୍ୟାଳୟର ୪୧ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ସିମୁଳିଆ : ସିମୁଳିଆ ମହାବିଦ୍ୟାଳୟର ୪୧ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ଅଧ୍ୟକ୍ଷ ଡ. ଗୋପବନ୍ଧୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ୨୮ଟଙ୍କା ଚାନ୍ଦା ଆଦାୟ ମାଧ୍ୟମରେ ସିମୁଳିଆ କଲେଜର ସ୍ଥାପନା ସମ୍ପର୍କରେ ସୂଚନା ଦେବା ସହିତ ଉଭୟ କଲେଜ ଓ ଛାତ୍ରୀଛାତ୍ରମାନଙ୍କ ଉନ୍ନତି ପାଇଁ ୩ଟି ଟାର୍ଗେଟ୍ ରଖିଥିଲେ ।
ଅଧ୍ୟକ୍ଷ ମିଶ୍ର ଛାତ୍ରୀଛାତ୍ରମାନଙ୍କ ଉଦ୍ଦେଶ୍ୟରେ ସଂଗ୍ରାମ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଉଭୟ ଶିକ୍ଷା ଓ କ୍ରୀଡ଼ାରେ କୃତି ଅର୍ଜନ କରିଥିବା ଇତିସ୍ମିତା ବିଶ୍ୱାଳ, ସଞ୍ଜୟ ରାଉତ, ଐଶ୍ୱର୍ଯ୍ୟା ରାଜଲକ୍ଷ୍ମୀ ମହାରଣା, କ୍ରୀଡ଼ାରେ ରମେଶ ଦାସ, ଅର୍ଚ୍ଚନା ଜେନା, ଶୁଭମ୍ ବିଶ୍ୱାଳ, ରଶ୍ମିତା ପରିଡ଼ା, ମଧୁସୂଦନ ସିଂ, ରୁବି ବେହେରା ଓ ସୁନେଲିକା ସାହୁଙ୍କୁ ସମ୍ମାନିତ କରାଯାଇଥିଲା । କ୍ରୀଡ଼ା ଅଧ୍ୟାପକ ବାଇଧର ମହାକୁଡ଼ ମାନପତ୍ର ପଠନ କରିଥିଲେ । ପ୍ରଥମ ପର୍ଯ୍ୟାୟ ଉତ୍ସବରେ ଛାତ୍ରୀ ମଧୁସ୍ମିତା ମିଶ୍ର ଓ ଅର୍ଚ୍ଚନା ପଣ୍ଡା ଏବଂ ଦ୍ୱିତୀୟ ପର୍ଯ୍ୟାୟ ଉତ୍ସବରେ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ଓ ରଶ୍ମିପ୍ରଭା ସୁଆର ମଞ୍ଚ ସଞ୍ଚାଳନା କରିଥିଲେ । ଏହି ଅବସରରେ ଛାତ୍ରୀଛାତ୍ର ଓ ମେଲୋଡି ଟ୍ରୁପ୍ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ନିର୍ମଳ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶନାରେ ସ୍ୱାଗତ ସଙ୍ଗୀତ, ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ, ଅଧ୍ୟାପକ ଉମାକାନ୍ତ ନାୟକ ବାର୍ଷିକ ବିବରଣୀ ପାଠ, ଅଧ୍ୟାପକ ଅଜିତ୍ କୁମାର ମହାନ୍ତି ପୁରସ୍କାର ବିତରଣ ଓ ଅଧ୍ୟାପକ ଦିଲ୍ଲୀପ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ସମସ୍ତ ଅଧ୍ୟାପିକ, ଅଧ୍ୟାପକ ଓ ସ୍ୱେଚ୍ଛାସେବୀମାନେ ସହଯୋଗୀ ଥିଲେ ।
