ବାଲେଶ୍ୱର : ୪ ନାବାଳକ ଉଦ୍ଧାର, ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର
ବାଲେଶ୍ୱର : ବାଲେଶ୍ୱର ଜିଲା ଶିଶୁ ଶ୍ରମିକ ଉଦ୍ଧାର ଟାସ୍କ ଫୋର୍ସ ତରଫରୁ ସହର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ନାବାଳକଙ୍କୁ ଗୁରୁବାର ଶିଶୁ ମଙ୍ଗଳ କମିଟିରେ ଶିକ୍ଷା, ସୁରକ୍ଷା ଓ ଯତ୍ନ ନିମନ୍ତେ ଉପସ୍ଥାପନ କରାଯାଇଛି । ପରେ ବିଚାର କରି ସମସ୍ତଙ୍କୁ ଉତ୍କଳ ବାଳାଶ୍ରମ ରେ ପରବର୍ତ୍ତୀ ନିଷ୍ପତ୍ତି ନିମନ୍ତେ ରଖାଯାଇଥିବାର ଜଣାପଡ଼ିଛି ।
ସୂଚନା ଯେ, ବାଲେଶ୍ୱର ସହରରେ କିଛିଦିନ ଧରି ଅଧିକ ପରିମାଣରେ ନାବାଳକ ତଥା ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେମାନେ ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ତଥା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହାକୁ ଲକ୍ଷ୍ୟ ରଖି ଶିଶୁ ଶ୍ରମିକ ଉଦ୍ଧାର ଟାସ୍କ ଫୋର୍ସ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୋଲିସ ଲାଇନ୍ ସ୍ଥିତ ଏକ ଘରୋଇ ହୋଟେଲରୁ ୨ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ଉଭୟ ନାବାଳକ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି । ସେହିପରି ଉକ୍ତ ଅଞ୍ଚଳର ଏକ ଦୋକାନରୁ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ଉକ୍ତ ନାବାଳକ ଜଣକ ସୋର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ସେହିପରି ସଦର ଥାନା ଅଧୀନସ୍ତ କୁରୁଡ଼ା ଅଞ୍ଚଳରୁ ଅନ୍ୟ ଜଣେ ନାବାଳକ ଦୋକାନ ଦୋକାନ ବୁଲି ଝରି ଗୋଟାଉଥିବା ବେଳେ ଟାସ୍କ ଫୋର୍ସ କର୍ମଚାରୀମାନେ ଉଦ୍ଧାର କରିଥିଲେ । ଉକ୍ତ ପିଲାଟି ନିଜର ପରିଚୟ ଦେଇପାରୁ ନଥିବାର ଜଣାପଡ଼ିଛି । ଉଦ୍ଧାର କମିଟିରେ ଡିଏଲ୍ଓ ବୃନ୍ଦାବନ ସେଠୀ, ଶିଶୁ ମଙ୍ଗଳ କମିଟି ସଦସ୍ୟ ଗଣେଶ୍ୱର ରାଉତ, ଏଏଲଓ ଦୀପ୍ତିକାନ୍ତ ସାହୁ, ଚାଇଲ୍ଡ ଲାଇନର ସଦସ୍ୟ ପ୍ରଶାନ୍ତ ରାଉତ, ପଞ୍ଚାନନ ତ୍ରିପାଠୀ, ଜ୍ୟୋତି ରଞ୍ଜନ ମିଶ୍ର, ନାରାୟଣ ଦାସ, କନେଷ୍ଟବଳ ରବୀନ୍ଦ୍ର ସିଂ, ଏଲପିଓ ମୁକ୍ତିକାନ୍ତ ପଣ୍ଡା ସାମିଲ୍ ଥିଲେ ।
