ପେସାଦାର ବାଇକ୍ ଲୁଟେରା ଗ୍ୟାଙ୍ଗର ୪ ଗିରଫ: ୫ ଗାଡି ଜବତ
କଟକ : କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ବାଇକ୍ ଚୋରି କରି କନ୍ଧମାଳରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗକୁ ଠାବ କରିବା ସହ ୪ ସଦସ୍ୟଙ୍କୁ ଗିରଫକରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ସେମାନଙ୍କ ନିକଟରୁ ୫ଟି ଚୋରି ମଟରସାଇକେଲ ଜବତ କରଯାଇଛି । ଗିରଫ ଅଭିଯୁକ୍ତ ଲୁଟେରା କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ପଟ୍ଟାପୋଲ ଗୋଲବେଦି ସାହିର ଅଭିଶେକ ନାଇଡ଼ୁ ଓରଫ ରାଜା(୨୮) ଓ ଚୋରି ବାଇକ୍ ବିକ୍ରି କରୁଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଅମଲାପଡ଼ାର ଉମାକାନ୍ତ ବେହେରା(୨୫), ମାନସ ଦଳଛତ୍ର(୨୯) ଓ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ବନ୍ଧଖମାଣର ବୃଷଭାନୁ ମଲ୍ଲିକ(୨୦) ।
ସୂଚନା ଯେ, ପଟ୍ଟାପୋଲ ଗୋଳବେଦି ସାହିର ବି ସଜିବ ରାଓ ଗତ ଜାନୁଆରୀ ୨୫ତାରିଖ ରାତିରେ ଘର ସମ୍ମୁଖରେ ତାଙ୍କ ଟିଭିଏସ ଆପାଚି (ଓଡ଼ି ୦୫ ଏସି ୧୭୨୬)ଟିକୁ ରଖିଥିଲେ । ପରଦିନ ସକାଳେ ସେ ତାଙ୍କ ମଟରସାଇକେଲଟିକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ମାତ୍ର କେଉଁଠି ନପାଇବାରୁ ସେ ୨୬ ତାରିଖରେ ତାଙ୍କ ଗାଡ଼ି ଚୋରି ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ । ତଦନୁଯାୟୀ ୧୯/୨୧ରେ ଆଇପିସି ୩୭୯ରେ ଏକ ମାମଲା ରୁଜୁ କରାଯାଇ ଏସଆଇ ପି କେ ନାୟକଙ୍କୁ ତଦନ୍ତ ଭାର ଦିଆଯାଇଥିଲା । ତଦନ୍ତ ସମୟରେ ଅଭିଶେକର ସଂପୃକ୍ତି ଜଣା ପଡ଼ିଥିଲା । ପଚରା ଉଚରା ସମୟରେ ସେ ତା’ର ସହଯୋଗୀ କେଶରପୁରର ମିର୍ଲାତିଫୁର ରହେମାନ ଓରଫ ଜାଭେଦ ସହାୟତାରେ ବି ସଜିବର ଗାଡ଼ି ଚୋରି କରିଥିବା ସ୍ୱୀକାର କରିଥିଲା । ଏଥିସହ ଉଭୟ ବିଭିନ୍ନ ସ୍ଥାନରୁ ମଟରସାଇକେଲ ଚୋରି କରି ନେଇ ଫୁଲବାଣୀର ମାନସ ଓ ଉମାକାନ୍ତ ସହାୟତାରେ ସେଠାରେ ବିକ୍ରି କରୁଥିବା ସୂଚନା ଦେଇଥିଲା । ତଦନୁଯାୟୀ ଚଢଉ କରାଯାଇ ଗୋଟିଏ ଆପାଚି, ୨ଟି ୟାମାହା, ଗୋଟିଏ ହୁଣ୍ଡା ୟୁନିକର୍ଣ୍ଣ ଓ ଗୋଟିଏ ହିରୋ ସ୍ପେ୍ଲଣ୍ଡର ପ୍ଲସ ସମେତ ମୋଟ୍ ୫ଟି ବାଇକ୍ ଜବତ କରାଯାଇଥିଲା । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପର ଅଧିକ ତଦନ୍ତ ଚାଲୁ ରହିଛି ।
