ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ୪ ଗିରଫ
- ବନ୍ଧୁକ, ଗୁଳିଗୋଳା ସହ ୨ ବାଇକ ଓ ମୋବାଇଲ ଫୋନ ଜବତ
କଟକ, ୨୦/୧୦ ବେଆଇନ ବନ୍ଧୁକ ଓ ଗୁଳି କାରବାର ଅଭିଯୋଗରେ ଚାଉଳିଆଗଂଜ ଥାନା ପୋଲିସ ୪ ଜଣ ପେଶାଦାର ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ୭ଏମଏମ ପିସ୍ତଲ, ୩ଟି ରିଭଲଭର, ଗୋଟିଏ ସିଙ୍ଗଲ ସଟ୍ ବନ୍ଧୁକ, ୧୨ ରାଉଣ୍ଡ ଗୁଳି ସହିତ ଗୋଟିଏ ବଜାଜ ପଲସର ୨୨୦(ଓଡି-୦୨-ଏୟୁ-୨୭୧୪) ଓ ହିରୋହୁଣ୍ଡା ସ୍ପେ୍ଲଣ୍ଡର(ଓଆର-୨୧-୨୪୬୦) ଏବଂ ୫ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚାଉଳିଆଗଂଜ ଥଟ୍ଟାରିସାହିର ମାଗୁ ଓରଫ ସୈାମେନ୍ଦ୍ର ସାହୁ(୩୨), ଜଗତସିଂହପୁର ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁରର କାଳିଆ ଓରଫ ସେକ ସାଜିଦ ଅଲ୍ଲୀ(୩୩), ବିରିଡି ଥାନା ଅନ୍ତର୍ଗତ ପାର୍ବତୀପୁରର ଟିମିନା ଓରଫ ସୁଦର୍ଶନ ମଲ୍ଲିକ(୪୬) ଓ ବିରିଡି ଥାନା ଅନ୍ତର୍ଗତ ଶଙ୍କରପୁର ବାସୁଜେନା ସାହିର ଡେଙ୍ଗା ବୁଢା ଓରଫ ବାଦଲ କୁମାର ଜେନା(୫୭)।
ପୋଲିସ ପ୍ରଦତ୍ତ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଉପରୋକ୍ତ ଅସାମାଜିକମାନେ କଟକର ଅସାମାଜିକ ଯୁବକଙ୍କୁ ଗୁଳିଗୋଳା ବିକ୍ରି କରିବା ନେଇ ଏକାଠି ହୋଇଥିବାର ଖବର ଚାଉଳିଆଗଂଜ ଥାନାକୁ ମିଳିଥିଲା । ଥାନା ପୋଲିସ ସଂଗେ ସଂଗେ ଗତିରାଉତପାଟଣା ନିକଟ ପଥର ମୁଣ୍ଡେଇ ମଠଠାରେ ଏହି ଅଭିଯୁକ୍ତମାନଙ୍କୁ କାବୁ କରି ତଲାସୀ ନେବା ପରେ ତାଙ୍କ ନିକଟରୁ ଏହିସବୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇପାରିଥିଲା । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାଗୁ ବିରୋଧରେ ଚାଉଳିଆଗଂଜ ଥାନାରେ ୨ଟି ମାମଲା ରହିଥିବା ବେଳେ ଅନ୍ୟମାନଙ୍କର ଅପରାଧିକ କାର୍ଯ୍ୟକଳାପର ଛାନଭିନ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
