ବାରମୁଳାରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ
ଶ୍ରୀନଗର: ଉତ୍ତର କାଶ୍ମୀରର ବାରମୁଳା ଜିଲାର ମାଲୱା ଅଞ୍ଚଳରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତମାନଙ୍କ ମଧ୍ୟରେ ବରିଷ୍ଠ ଏଲଇଟି କମାଣ୍ଡର ୟୁସୁଫ କାଣ୍ଟ୍ରୋ ଅଛି। କୁଖ୍ୟାତ ୧୦ ଆତଙ୍କବାଦୀଙ୍କ ମଧ୍ୟରେ ତାର ନାମ ରହିଥିଲା। ଯିଏ ପୋଲିସ୍ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା। ସେହିପରି ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବାର ପୋଲିସ କହିଛି ।
ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ଜମ୍ମୁ କଶ୍ମୀର ପୁଲିସ ସେନା ସହିତ ଏକ ମିଳିତ ଅପରେସନ ଆରମ୍ଭ କରିଥିଲା। ମିଳିତ ଟିମ୍ ଏହି ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବା ପରେ ହୋଇଥିବା ଏହି ଏନକାଉଣ୍ଟରରେ ୩ ଜଣ ସୈନିକ ଏବଂ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିଲେ । ସେମାନଙ୍କୁ ଶ୍ରୀନଗର ସ୍ଥିତ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
