ଆଜି ତୃତୀୟ ଟି-୨୦: ସମ୍ଭାବ୍ୟ ଏକାଦଶରେ ବଡ଼ ପରିବର୍ତ୍ତନ କରିପାରନ୍ତି ଅଧିନାୟକ ହାର୍ଦ୍ଦିକ
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜରତୃତୀୟ ମ୍ୟାଚ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବ। ସିରିଜ ଲକ୍ଷରେ ମୈଦାନକୁ ଓହ୍ଲାଇବ ଭାରତ। ସେହିପରି ଦିନିକିଆ ସିରିଜର ପ୍ରତିଶୋଧ ଟି-୨୦ରେ ନେବାକୁ ଲକ୍ଷ୍ୟ ରଖିଛି। ତେବେ ଆଜିର ମ୍ୟାଚରେ ବିଜୟ ହାସଲ କଲେ ଭାରତ ସିରିଜ ବିଜୟୀ ହେବ। ଏହା ସହିତ ଅଧିନାୟକ ତାଙ୍କ ଅଧିନାୟକତ୍ୱ ରେକର୍ଡକୁ ଆହୁରି ମଜବତୁ କରିବା ଲକ୍ଷ୍ୟରେ ରହିଛନ୍ତି। ତେବେ ଏହି ମ୍ୟାଚ ପାଇଁ ପୁରା ଦେଶର ପ୍ଲେଇଂ ଏକାଦଶ ଉପରେ ନଜର ରଖିଛନ୍ତି।
ପ୍ରତିଟି କ୍ରିକେଟ ପ୍ରେମୀଙ୍କ ନଜର ପ୍ଲେଇଂ ଏକାଦଶ ଉପରେ ରହିଛି। କାରଣ ଇଶାନ କିସନ ଓ ଶୁବମନ ଗିଲ ପାଳି ଆରମ୍ଭ କରିବେ। ଏହି ଯୋଡି ଓପନର ଭାବେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ପୃଥ୍ୱୀ ଶ’ଙ୍କୁ ସୁଯୋଗ ଦେବାକୁ ଦାବି ଜୋର ଧରୁଛି। ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ପରେ ପୃଥ୍ୱୀ ଶ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ତାଙ୍କୁ ପ୍ଲେଇଂ ଏକାଦଶରେ ସ୍ଥାନ ମିଳିପାରୁନାହିଁ।
ତେବେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଦଳରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ତେବେ ଦୁର୍ବଳ ପ୍ରଦର୍ଶନ କରୁଥିବା ଇଶାନ କିଶାନ ଓ ଶୁବମନ ଗିଲଙ୍କୁ ପ୍ଲେଇଂ ଏକାଦଶରୁ ବାହାର କରିବାର ସମ୍ଭାବନାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି। କାରଣ ଦ୍ୱିତୀୟ ମ୍ୟାଚରେ ଏହି ପ୍ଲେଇଂ ଇଲେଭେନ ସହିତ ଦଳ ବିଜୟ ହାସଲ କରିଥିଲା। ସେହିପରି ଅର୍ଶଦୀପ ସିଂହଙ୍କୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଛିଡା଼ ହୋଇଛି। ଦଳ ପାଇଁ ସେ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅର୍ଶଦୀପ ଏହି ସିରିଜରେ ୫୮ ରନ ବିନିମୟରେ ମାତ୍ର ୩ଟି ଓ୍ୱିକେଟ ହାତେଇଛନ୍ତି।
ଭାରତ ସମ୍ଭାବ୍ୟ ଏକାଦଶ : ଶୁବମନ ଗିଲ, ପୃଥ୍ୱୀ ଶ/ଇଶାନ କିସନ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଓ୍ୱାସିଂଟନ ସୁନ୍ଦର, କୁଳଦୀପ ଯାଦବ, ୟୁଜୁବେନ୍ଦ୍ର ଚହଲ, ଶିବମ ମାଭି, ଅର୍ଶଦୀପ ସିଂହ।
ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଏକାଦଶ : ଫିନ ଏଲନ, ଡିଭନ କାନଓ୍ୱେ, ମାର୍କ ଚାପମାନ, ଗ୍ଲେନ ଫିଲିପ, ଡାରେଲ ମିଚେଲ, ମାଇକେଲ ବ୍ରେସଓ୍ୱେଲ, ମିଚେଲ ସେଣ୍ଟନର, ଇସ ସୋଢି, ଜାକବ ଡଫି, ଲକି ଫର୍ଗୁସନ, ବ୍ଲେୟାର ଟିକନର।
