ନୀଳଗିରିକୁ ପୁଣି ପଶିଲେ ୩୯ ଟିକିଆ ଝାଡ଼ଖଣ୍ଡୀ ହାତୀ ପଲ, ବନାଞ୍ଚଳବାସୀ ଆତଙ୍କିତ
ଆଗରେ ୧୨ ପାଇଲଟ ଦନ୍ତା ଓ ମଝିରେ ୧୦ ଛୁଆ ହାତୀ
ନୀଳଗିରି : ୨୦୧୦ ମସିହାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଲମା ଜଙ୍ଗଲରୁ ହାତୀପଲ ଓଡ଼ିଶା ବର୍ଡ଼ର ପାରି ହୋଇ ଚିରାଚରିତ ରାସ୍ତା ମୟୁରଭଞ୍ଜ ଜିଲା ନଡ଼ପୁର, ବୁଢ଼ାବଳଙ୍ଗ ନଦୀ ଦେଇ ମଙ୍ଗବାର ଭୋରରେ ଦଳ ଦଳ ହୋଇ ୩୯ ଟିକିଆ ହାତୀ ପଲ ନୀଳଗିରି ରେଞ୍ଜ ଅଧିନ ପୁନ୍ଦାଳ, କାଠପାଳ, ଦୁର୍ଗାଦେବୀ, ପାଟଣା, ଅଯୋଧ୍ୟା ରାସ୍ତା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପୂର୍ବାହ୍ନ ୬ ଘଟିକା ସମୟରେ ପ୍ରବେଶ କରିଛନ୍ତି । ଦିନରେ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଥିବାବେଳେ ବିଲରେ ଧାନ ନଥିବାରୁ ଗାଁ ମୁହାଁ ହୋଇ ଦୁଇ ତିନୋଟି ସ୍ଥାନରେ ଘରେ ଧାନ ପୁଞ୍ଜିରୁ ଧାନ ଯେତକ ଖାଇଛନ୍ତି ତା’ ଠାରୁ ଅଧିକ ନଷ୍ଟ କରିଛନ୍ତି ।
ସୂଚନା ଥାଉକି ଚଳିତବର୍ଷ ଗତ ନଭେମ୍ବର ୨୫ରେ ୧୬ ଟିକିଆ ହାତୀ ପଲ ଗୋଟିଏ ଦିନ ରହି ଫେରିଯାଇଥିଲେ । ଆଜି ପୁଣି ଯେଉଁ ହାତୀ ପଲ ଆସିଛନ୍ତି ତନ୍ମଧ୍ୟରେ ୧୨ଟି ଦନ୍ତା ହାତୀ ଥିବାବେଳେ ୧୦ଟି ଛୁଆ ହାତୀ ୧୭ଟି ମା’ ହାତୀ ଅଛନ୍ତି । ହାତୀ ପଲ ଆସିଥିବାର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଗ୍ରାମ ଲୋକଙ୍କ ମଧ୍ୟରେ ଭୟର ବାତାବରଣ । କାରଣ ଜଙ୍ଗଲର ଚତୁଃପାର୍ଶ୍ୱରେ ବନବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ହାତୀ ଦାଉରୁ ସାଧାରଣ ଧନଜୀବନ ରକ୍ଷା ପାଇଁ ହୋଇଥିବା ସୌର ବାଡ ଓ ଟ୍ରେଞ୍ଚ ନିର୍ମାଣ ହେଇଥିଲେ ମଧ୍ୟ ଏବେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ହାତୀ ଉପଦ୍ରବ ଅଞ୍ଚଳରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତାକୁ ନେଇ ହାଣ୍ଡିଆ, ମହୁଲ, ମାଦକଦ୍ରବ୍ୟ, ନ ରଖିବା ପାଇଁ ସଚେତନ କରାଯାଇଛି । ହାତୀ ପଲ ଗତିବିଧି ଉପରେ ନଜର ରଖିବାକୁ ନୀଳଗିରି ବନବିଭାଗର ରେଞ୍ଜର, ଫରେଷ୍ଟର, ଫରେଷ୍ଟଗାର୍ଡ଼, ସବୁଜବାହିନୀ ଉପସ୍ଥିତ ଥିବା ଜଣାପଡ଼ିଛି ।

