୫ ବର୍ଷରେ ଆଇପିଏଲରୁ ମିଳିବ ୩୬ହଜାର କୋଟି !
ନୂଆଦିଲ୍ଲୀ: ମାଲାମାଲ ହେବ ବିସିସିଆଇ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ପାଞ୍ଚ ବର୍ଷ ଭିତରେ ଆଇପିଏଲ୍ ପ୍ରସାରଣରୁ ୫ ବିଲିୟନ୍ ଡଲାର ଟଙ୍କା ଆୟ କରିପାରେ। ଏହାବ୍ୟତୀତ ଆଇପିଏଲରେ ଦୁଇ ନୂଆ ଟିମର ଆଗମନ ଦ୍ୱାରା ନିଲାମ ପ୍ରକ୍ରିୟାରେ କିଛି ବଡ଼ ନାଁ ଦୌଡ଼ରେ ସାମିଲ ହୋଇଛନ୍ତି। ଆଇପିଏଲର ପ୍ରସାରଣ ଅଧିକାର ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଷ୍ଟାର୍ ଇଣ୍ଡିଆ ପାଖରେ ରହିଛି। ସେହି ସମୟରେ ଏହାର ଭାଲ୍ୟୁଏସନ୍ ୨.୫ ବିଲିୟନ୍ ଡଲାର ଥିଲା, କିନ୍ତୁ ପରବର୍ତ୍ତୀ ପାଞ୍ଚବର୍ଷରେ ଏହି ଆୟ ଦୁଇଗୁଣା (ପାଖାପାଖି ୩୬ହଜାର କୋଟି) ହେବାର ସମ୍ଭାବନା ରହିଛି।
୨୦୨୩ରୁ ୨୦୨୭, ଏହି ପାଞ୍ଚ ବର୍ଷୀୟା ଚକ୍ର ପାଇଁ ଆଇପିଏଲ୍ ପ୍ରସାରଣ ଅଧିକାରରୁ ବିସିସିଆଇ ୫ ବିଲିୟନ୍ ଡଲାର ବା ପାଖାପାଖି ୩୬,୦୦୦ କୋଟି ଟଙ୍କା ପାଇବ। ସଂପ୍ରତି ଷ୍ଟାର ଇଣ୍ଡିଆ ପାଖରେ ଥିବା ୨୦୧୮ରୁ ୨୦୨୨ର ୫ ବର୍ଷୀୟା ଚକ୍ର ଲାଗି ବିସିସିଆଇ ୨.୨୫ ବିଲିୟନ୍ ଡଲାର ବା ପାଖାପାଖି ୧୬,୩୪୭ କୋଟି ଟଙ୍କା ରୋଜଗାର କରିଥିଲା। ଏଥର କିନ୍ତୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ତାର ଦୁଇ ଗୁଣ ଅର୍ଥ ପ୍ରସାରଣ ଅଧିକାର ବିକ୍ରିରୁ ହାସଲ କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଦଳ ଓ ମ୍ୟାଚ୍ ସଂଖ୍ୟା ବଢ଼ିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ବିସିସିଆଇ ପୂର୍ବରୁ କରିଥିବା ଘୋଷଣା ଅନୁସାରେ ଆଇପିଏଲ୍ର ଆଗାମୀ ଋତୁରେ ୮ ନୁହେଁ ୧୦ ଦଳ ଅଂଶଗ୍ରହଣ କରିବେ। ଗତଥର ଆଇପିଏଲ୍ର ପ୍ରସାରଣ ଅଧିକାର କିଣିବା ଲାଗି ଦୁଇଟି କଂପାନି ଷ୍ଟାର ଏବଂ ସୋନି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ସୋନିଠାରୁ ଷ୍ଟାର ୫୩୦୦ କୋଟି ଟଙ୍କା ଅଧିକ ଦେଇ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତର ପ୍ରସାରଣ ଅଧିକାରକୁ କିଣି ନେଇଥିଲା। ଏଥିରେ ଟିଭି, ଡିଜିଟାଲ, ରେଡିଓ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରଣ ଅଧିକାର ସାମିଲ ଥିଲା। ବିସିସିଆଇ ୨୦୨୩ରୁ ୨୦୨୭ର ପରବର୍ତ୍ତୀ ଚକ୍ର ଲାଗି ଟେଣ୍ଡର ଜାରି କରି ସାରିଛି। ଆସନ୍ତା ୨୫ ତାରିଖରେ ଦୁଇଟି ନୂଆ ଦଳର ନାଁ ଘୋଷଣା କରିବା ସହ ୨୬ ତାରିଖକୁ ବିଡ୍ ଦାଖଲ କରିବାର ଶେଷ ତାରିଖ ରଖାଯାଇଛି।
