ଅପରେସନ କାବେରୀ ଜରିଆରେ ଦିଲ୍ଲୀରେ ପହଞ୍ଚିଲେ ୩୬୦ ଭାରତୀୟ ନାଗରିକ
ନୂଆଦିଲ୍ଲୀ: ହିଂସାଗ୍ରସ୍ତ ସୁଡାନରୁ ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଆଣିବା ପାଇଁ ଅପରେସନ କାବେରୀ ଜରିଆରେ ବୁଧବାର ୩୬୦ ଭାରତୀୟ ନାଗରିକଙ୍କୁ ଧରି ଜେଦ୍ଦାରୁ ବାହାରିଥିବା ବିମାନ ବୁଧବାର ରାତି ପ୍ରାୟ ୯ଟାରେ ଦିଲ୍ଲୀରେ ପହଞ୍ଚିଛି। ନିଜ ମାଟିରେ ଭାରତୀୟଙ୍କୁ ସ୍ଵାଗତ। ଅପରେସନ କାବେରୀରେ ୩୬୦ ଭାରତୀୟ ନାଗରିକଙ୍କୁ ଧରି ପ୍ରଥମ ବିମାନ ନୂଆଦିଲ୍ଲୀରେ ପହଞ୍ଚିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏଥିସହ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।
ସୁଡାନରେ ସୁଡାନ ଆର୍ମି ଏବଂ ପାରା ମିଲିଟାରୀ ଗ୍ରୁପ ମଧ୍ୟରେ ସଂଘର୍ଷ ଜାରି ରହିଛି। ସ୍ଥିତି ଉଦବେଗଜଜନକ ରହିଛି। ସେଠାରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ଵଦେଶ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି। ସରକାର କହିଛନ୍ତି, ସୁଡାନରେ ରହୁଥିବା ପ୍ରାୟ ୩୦୦୦ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ଆମର ପ୍ରଥମ ପ୍ରାଥମିକତା।
ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଡାନର ସାଂପ୍ରତିକ ସ୍ଥିତିକୁ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ କହିଥିଲେ। ଏହା ପୂର୍ବରୁ ହିଂସାଗ୍ରସ୍ତ ଦକ୍ଷିଣ ଆଫ୍ରିକା ଦେଶ ସୁଡାନର ଦୁଇ ଜେନେରାଲ ୭୨ ଘଣ୍ଟା ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲେ। ଏହି ଅସ୍ତ୍ରବିରତି ଏପ୍ରିଲ ୨୪ ମଧ୍ୟ ରାତ୍ରରୁ ଆରମ୍ଭ ହୋଇ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।
