ଖୁବଶୀଘ୍ର ଖାଲି ହେବ ୩ ରାଜ୍ୟସଭା ଆସନ, ଆରମ୍ଭ ହେଲାଣି ଚର୍ଚ୍ଚା
ଭୁବନେଶ୍ୱର : ଓଡ଼ିଶାର ୩ ରାଜ୍ୟସଭା ଆସନ ଖୁବଶୀଘ୍ର ଖାଲି ହେବ । ଜୁଲାଇ ୧ତାରିଖ ପରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅବସର ନେବେ । ସୁବାସ ସିଂ କଟକ ମେୟର ଭାବେ ନିର୍ବାଚିତ ହୋଇଥିବାରୁ ସେ ତୁରନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ । ଏହି ୪ ରାଜସଭା ଆସନରେ କିଏ ବସିବ ବିଜେଡି ଶିବିରରେ ଅଙ୍କକଷା ଆରମ୍ଭ ହୋଇଗଲାଣି । ସବୁକ୍ଷେତ୍ରରେ ଚକମା ଦେଖାଉଥିବା ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଏବେ ଦଳୀୟ ନେତାମାନେ ଚାହିଁ ବସିଛନ୍ତି ।
ରାଜ୍ୟସଭା ସଦସ୍ୟ ଏନ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଜୁଲାଇ ୧ ପର୍ଯନ୍ତ କାର୍ଯକାଳ ଥିଲେ ମଧ୍ୟ ଚଳିତ ଅଧିବେଶନ ସେମାନଙ୍କର ଶେଷ ଅଧିବେଶନ । କିନ୍ତୁ ସୁବାସ ସିଂଙ୍କ କାର୍ଯକାଳ ୨୦୨୬ରେ ଶେଷ ହେବ । ସେ କଟକ ମେୟର ଭାବେ ନିର୍ବାଚିତ ହୋଇଥିବାରୁ ରାଜ୍ୟସଭା ସଦସ୍ୟ ପଦରୁ ଖୁବଶୀଘ୍ର ଇସ୍ତଫା ଦେବେ । ହେଲେ ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ ଜୁଲାଇରେ ହୋଇପାରେ ଭୋଟ । ସୁବାସଙ୍କ ସ୍ଥାନରେ ଯିଏ ନିର୍ବାଚିତ ହେବେ ସେ ଅଳ୍ପ ସମୟ ପାଇଁ କାର୍ଯ କରିବେ । କିନ୍ତୁ ଅନ୍ୟ ୩ସ୍ଥାନରେ ନିର୍ବାଚିତ ନେତା ପୂର୍ଣ୍ଣକାଳୀନ କାର୍ଯ୍ୟ କରିବେ । ବିଧାନସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୧୪ ଥିବାରୁ ଦଳ ବିନାବାଧାରେ ୩ଜଣଙ୍କୁ ରାଜ୍ୟସଭା ପଠାଇପାରିବ । ବାକି ଗୋଟିଏ ଆସନ ପାଇଁ ଅଙ୍କକଷା ହୋଇପାରେ ।
ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଷ୍ଣିନୀ ବୈଷ୍ଣବଙ୍କ କ୍ଷେତ୍ରରେ ବିଜେଡି ଯେପରି ମ୍ୟାନେଜ ହେଲା ସେହି ନ୍ୟାୟରେ ୪ର୍ଥ ପ୍ରାର୍ଥୀ ବିଜେଡି ପାଇପାରେ । ତେବେ ବିଜେଡିର କିଏ ଯିବ ରାଜ୍ୟସଭା? ଏହାକୁ ନେଇ ପାୱାର କହିଡରରେ ଚର୍ଚ୍ଚା ଜୋର ଧରିଛି । ବିଜେଡି ପ୍ରତି ନିର୍ବାଚନରେ ୩୩ପ୍ରତିଶତ ମହିଳାଙ୍କୁ ଟିକେଟ ଦେଉଛନ୍ତି । ରାଜ୍ୟସଭା ନିର୍ବାନରେ ମଧ୍ୟ ପୁନରାବୃତ୍ତି ହୋଇପାରେ । ଦଳ ସୁବ୍ରତ ବାଗଚୀଙ୍କ ପତ୍ନୀ ସୁସ୍ମିତା ବାଗଚୀଙ୍କୁ ପ୍ରାର୍ଥୀ କରିପାରେ । ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ପରଫରମାନ୍ସ ଭଲ ଥିବାରୁ ବିଜେଡି ସୁପ୍ରିମୋ ତାଙ୍କୁ ପୁଣି ଦିଲ୍ଲୀ ପଠାଇପାରନ୍ତି ବୋଲି ଆଲୋଚନା ହେଉଛି । ଦକ୍ଷିଣ ଓଡ଼ିଶାରୁ ଏନ ଭାସ୍କର ରାଓ ଅବସର ନେଉଥିବାରୁ ଦଳ ଅଭିଭକ୍ତ କୋରାପୁଟ ଜିଲ୍ଲାରୁ କାହାକୁ ପ୍ରାର୍ଥୀ କରିପାରେ । ଆମଦାନୀ ହୋଇଥିବା ନେତା ପ୍ରଦୀପ ମାଝୀଙ୍କ କଥା ମଧ୍ୟ ଉଠୁଛି ।
ପଶ୍ଚିମ ଓଡ଼ିଶାବାସୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ପୁଣି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିପାରେ । ୨୦୧୯ ସାଧାରଣ ନିର୍ବାଚନ ବେଳେ ଡା ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ବିଜେଡି ଶିବିରରୁ କୁହାଯାଇଥିଲା । ହୁଏତ ଏହି ଦୁଇ ନେତା ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇପାରନ୍ତି । ବିଜେଡିରୁ ନିଲମ୍ବିତ ହୋଇ ପୁଣି ଦଳକୁ ଫେରିଥିବା ପ୍ରଫୁଲ୍ଲ ଘଡ଼େଇଙ୍କ ନାମ ମଧ୍ୟ ଉଠୁଛି । ସେ ବିଜେଡି ପ୍ରତି ଆନୁଗତ୍ୟ ପ୍ରକାଶ କରି ଦଳ ପାଇଁ ଉତ୍ସର୍ଗିକୃତ କାର୍ଯ୍ୟ କରୁଥିବାରୁ ତାଙ୍କ ସମର୍ଥକମାନେ ମଧ୍ୟ ଆଶାବାଦୀ ଅଛନ୍ତି । ପୌର ଓ ପଞ୍ଚାୟତ ନିର୍ବାଚନରେ ଯେଉଁ ନେତା ଭଲ ପ୍ରଦର୍ଶନ କରାଇପାରିଛନ୍ତି ବିଜେଡି ସୁପ୍ରିମୋ ତାଙ୍କୁ ମଧ୍ୟ ପୁରସ୍କୃତ କରିପାରନ୍ତି । ବ୍ୟୁରୋ ରିପୋର୍ଟ ବଡ଼ ଖବର ।
