ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ଲୁଟିନେଲେ ୩ଲକ୍ଷ, ଆକ୍ରମଣରେ ବାପ-ପୁଅ ଗୁରୁତର
ନୀଳଗିରି : ନୀଳଗିରିରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବୃଦ୍ଧି ପାଉଛି । ୧୯ ନଂ. ରାଜ୍ୟ ରାଜପଥ ଶେରଗଡ଼- ନୀଳଗିରି-କପ୍ତିପଦା ରାସ୍ତା ଭାଲୁକାଶୁଣି ଜଙ୍ଗଲର ୧୧ନଂ. ପୋଲ ନିକଟରେ ପୂର୍ବରୁ ବହୁବାର ଛିନ୍ତାଇ, ବସ୍୍ ଡକାୟତ, ପଥଚାରୀଙ୍କ ଠାରୁ ସୁନାଗହଣା ଲୁଟ୍ ଘଟଣା ବିଭିନ୍ନ ସମୟରେ ଘଟିଥାଏ । ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ ଦିବାଲୋକରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ବାପ-ପୁଅ ବାଇକ୍ରେ ଘରକୁ ଯାଉଥିବା ବେଳେ ୧୧ନଂ. ପୋଲ ନିକଟରେ ଏକ କଳାପଲସରରେ ୩ଜଣ ଯୁବକ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରି ସମସ୍ତ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ବାପ-ପୁଅଙ୍କୁ ନୀଳଗିରି ଡାକ୍ତରଖାନା କୁ ନିଆଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ବରହମପୁର ଥାନା ଅଧୀନସ୍ଥ ମାଟିଆଳି ଗ୍ରାମର ପ୍ରଭାକର ତ୍ରିପାଠୀ (୭୨) ଓ ରାମଚନ୍ଦ୍ର ତ୍ରିପାଠୀ (୫୮) ବାପ-ପୁଅ ୨ଜଣ ନିଜ ବାଇକ୍ରେ ନୀଳଗିରରି ଆସି ନୀଳଗିରି କୋ-ଅପରେଟିଭ୍ ବ୍ୟାଙ୍କରୁ ପୁଅ ରାମଚନ୍ଦ୍ର ୧ ଲକ୍ଷ ଟଙ୍କା ଉଠାଇଥିଲେ । ପରେ ନୀଳଗିରର ୟୁକୋ ବ୍ୟାଙ୍କ ଶାଖାରୁ ବାପା ପ୍ରଭାକର ତ୍ରିପାଠୀ ୨ଲକ୍ଷ ୯ହଜାର ଟଙ୍କା ଉଠାଣ କରି ନୀଳଗିରିରୁ ମାଟିଆଳି ଯାଉଥିବା ବେଳେ ଭାଲୁକାଶୁଣି ଛକ ପୂର୍ବରୁ ୧୧ନଂ. ପୋଲ ନିକଟରେ ଏକ କଳାପଲସର ବାଇକ୍ରେ ୩ଜଣ ଯୁବକ ହଠାତ୍ ବାଇକ୍ ପଛରେ ବସିଥିବା ବାପ ପ୍ରଭାକର ତ୍ରିପାଠୀଙ୍କୁ ଅତର୍କିତ ଆକ୍ରମଣ କରିବାରୁ ସେ ବାଇକରୁ ଖସିପଡ଼ିବାରୁ ପୁଅ ବାଧ୍ୟ ହୋଇ ବାଇକଟିକୁ ଛିଡ଼ା କରିବା ପରେ ୩ଜଣ ଯୁବକ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ୩ଲକ୍ଷ ୧୪ ହଜାର ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ଆକ୍ରମଣରେ ବାପ ପ୍ରଭାକରଙ୍କର ମୁଣ୍ଡ, ଗୋଡ଼, ହାତରେ ଗଭୀର କ୍ଷତାକ୍ତ ହୋଇଥିବା ବେଳେ ପୁଅ ରାମଚନ୍ଦ୍ର ମଧ୍ୟ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ନୀଳଗିର ମେଡିକାଲ ଅଣା ଯାଇଥିବା ବେଳେ ଖବର ପାଇ ନୀଳଗିରି ଥାନ ସବ୍-ଇନିସ୍ପେକ୍ଟର ବିରଞ୍ôଚ ସାହୁ ମେଡିକାଲରେ ପହଞ୍ôଚ ବାପ-ପୁଅଙ୍କର ବୟାନ ରେକର୍ଡ଼ କରିଥିବା ବେଳେ ଘଟଣାକୁ ଗୁରୁତ୍ୱ ଦେଇ ବିଭିନ୍ନ ଥାନାକୁ ଖବର ଦେଇଛନ୍ତି । ତେବେ ବାରମ୍ବାର ଉକ୍ତ ସ୍ଥାନରେ ଏପରି ଅଘଟଣ ଘଟିଚାଲିଥିବା ବେଳେ ଉଭୟ ଥାନା ପକ୍ଷରୁ କଡ଼ାକଡ଼ି ପେଟ୍ରୋଲିଂ କରିବା ପାଇଁ ସାଧାରଣରେ ଦାବୀ ହେଉଛି । ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରାରମ୍ଭିକ ତଦନ୍ତ କରିଥିବାର ଜଣାପଡ଼ିଛି ।
