ଫିଫା ବିଶ୍ବକପ୍ ଇତିହାସରେ ପ୍ରଥମଥର ପାଇଁ ୩ ମହିଳା ରେଫରି
ଲୌସାନ୍ : ଫିଫା ବିଶ୍ବକପ୍ ମହିଳା ରେଫରିଙ୍କ ପାଇଁ ନୂଆ ଅଧ୍ୟାୟ ସଂଯୋଗ କରିବ। ୩ ଜଣ ମହିଳା ରେଫରି ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ପରିଚାଳନା କରିବାର ଗୌରବ ପାଇଛନ୍ତି। ଫିଫା ବିଶ୍ବକପ୍ ଇତିହାସରେ ଏହା ପ୍ରଥମ ଘଟଣା ହେବ। ଫ୍ରାନ୍ସର ଷ୍ଟିଫାନି ଫ୍ରପର୍ଟ, ରୁଆଣ୍ଡାର ସଲିମା ମୁକାନସାଙ୍ଗା ଏବଂ ଜାପାନର ୟୋଶିମି ୟାମାସିତାଙ୍କୁ ଫିଫା ମନୋନୀତ କରିଛି। ଏମାନଙ୍କ ସହିତ ଆଉ ୩ ଜଣ ସହକାରୀ ମହିଳା ରେଫରି ମେକ୍ସିକୋର କରେନ୍ ଡାଏଜ ମେଡିନା, ବ୍ରାଜିଲର ନିଉଜା ବ୍ୟାକ୍ ଏବଂ ଆମେରିକାର କାଥରିନ୍ ନେସବିଟ୍ଙ୍କୁ ମଧ୍ୟ ସୁଯୋଗ ମିଳିଛି। ଏମାନଙ୍କୁ ଫିଫାର ପୁରୁଷ ଜୁନିଅର୍ ଓ ସିନିଅର୍ର ପ୍ରତିଯୋଗିତା ପରିଚାଳନା ପରେ ହିଁ ଫିଫା ବିଶ୍ବକପ୍ ସୁଯୋଗ ଦିଆଯାଇଛି। ଆମେ ଗୁଣବତ୍ତାରେ ବିଶ୍ବାସୀ ଏବଂ ଲିଙ୍ଗଗତ ପ୍ରଭେଦରେ ନୁହେଁ ବୋଲି କହିଛନ୍ତି କିଂବଦନ୍ତି ରେଫରି ପିଏରଲୁଗି କଲିନା। ଭବିଷ୍ୟତରେ ପୁରୁଷ ପ୍ରତିଯୋଗିତାରେ ମହିଳା ରେଫରିଙ୍କୁ ମନୋନୀତ କରାଯିବା ବେଳେ ଏହା ସାଧାରଣ କଥା ହେବ ବୋଲି ସେ ମଧ୍ୟ ପ୍ରକାଶ କରିଛନ୍ତି।
୪୦ ବର୍ଷୀୟ ଷ୍ଟିଫାନି ୨୦୦୯ରୁ ଫିଫା ରେଫରି ଭାବେ ରହିଛନ୍ତି। ୨୦୧୯ ଫିଫା ମହିଳା ବିଶ୍ବକପ୍ ଫାଇନାଲ୍ ଏବଂ ୟୁଫା ସୁପର୍ କପ୍ ମଧ୍ୟ ପରିଚାଳନା କରିଥିଲେ। ସେହିବର୍ଷ ସେ ପ୍ରଥମ ମହିଳା ରେଫରି ଭାବେ ୟୁରୋପୀୟ ମ୍ୟାଚ୍ ପରିଚାଳନା କରିଥିଲେ। ମୁଁ ଏଭଳି ସୁଯୋଗ ପାଇବି ବୋଲି ଆଶା କରିନଥିଲି। ଫିଫା ବିଶ୍ବକପ୍ଠାରୁ ଆଉ କିଛି ବଡ଼ ନାହି। ଜେଣ୍ଡର ନୁହେଁ, ଦକ୍ଷତା ହିଁ ସବୁକିଛି ବୋଲି ଷ୍ଟିଫାନି ପ୍ରକାଶ କରିଛନ୍ତି। ୧୯୮୮ ମସିହାରେ ଜନ୍ମିତ ମୁକାନସାଙ୍ଗା ୨୦୧୨ ମସିହାରୁ ଫିଫା ଅନ୍ତର୍ଜାତୀୟ ରେଫରି ଅଛନ୍ତି। ଆଫ୍ରିକାନ ନେସନ୍ସ କପ୍, ୨୦୨୦ ଟୋକିଓ ଅଲିମ୍ପିକ୍ସ, ସିଏଏଫ ଚାମ୍ପିଅନ୍ସ ଲିଗ୍ ମଧ୍ୟ ପରିଚାଳନା କରିଛନ୍ତି। ୩୩ ବର୍ଷୀୟା ମୁକାନସାଙ୍ଗା କାତାର ୨୦୨୨ରେ ସର୍ବକନିଷ୍ଠା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ। ବାସ୍କେଟ୍ବଲ୍ ଖେଳାଳିରୁ ଫିଫା ରେଫରି ବନିଛନ୍ତି ଏହି ଯୁବତୀ। ୩୬ ବର୍ଷୀୟା ୟୋଶିମା ଚଳିତ ବର୍ଷ ଏଏଫ୍ସି ଚାମ୍ପିଅନ୍ସ ଲିଗ୍ ପରିଚାଳନା କରିଥିଲେ। ୨୦୧୯ ଫିଫା ମହିଳା ବିଶ୍ବକପ୍, ୨୦୨୦ ଟୋକିଓ ଅଲିମ୍ପିକ୍ସ ଭଳି ବଡ଼ ପ୍ରତିଯୋଗିତା ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି ୟୋଶିମା।
