କଟକ-ଚାନ୍ଦବାଲି ରାସ୍ତାର ଜମଧର ନିକଟରେ ସଡକ ଦୂର୍ଘଟଣା ୩ମୃତ
କେନ୍ଦ୍ରାପଡ଼ା : କଟକ- ଚାନ୍ଦବାଲି ରାଜ୍ୟ ରାଜପଥର ଜମଧର ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଟୋରିକ୍ସାକୁ ଅନ୍ୟ ଏକ ହାଇୱା ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସେହି ୩ଜଣଙ୍କୁ ଅଟୋରିକ୍ସାକୁ କଟାଯାଇ ବାହାର କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଅନୁଯାୟୀ ଭୁବନେଶ୍ୱରରୁ ଏକ ଅଟୋରିକ୍ସାରେ କେନ୍ଦ୍ରାପଡା ଅଞ୍ଚଳକୁ କଟକ- ଚାନ୍ଦବାଲି ରାସ୍ତାରେ ଫେରୁଥିବା ବେଳେ ଜମଧର ନିକଟରେ ରାତି ପ୍ରାୟ ସାଢେ ୧୨ଟା ସମୟରେ ସେମାନଙ୍କ ଅଟୋକୁ ଅନ୍ୟ ଏକ ହାଇୱା ଟ୍ରକ ଧକ୍କ୍ା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଅଟୋ ଭିତରେ ଥିବା ତଥା ମୃତ୍ୟୁବରଣ କରିଥିବା ୩ଜଣ ହେଉଛନ୍ତି ଭୁବନେଶ୍ୱରର ନିରଞ୍ଜନପୁର ସ୍ଥିତ ଅଟୋଚାଳକ ହିମାଂଶୁ ସୁନ୍ଦରରାୟ, ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ଦେବରାଜ ବଳ ଓ ଆଶିଷ କୁମାର ବେହୁରା । ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଦୂର୍ଘଟଣାର ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
