୨୭୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ବେପାରୀ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଥମୁନି ବ୍ରାଉନସୁଗାର କାରବାର । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଳମ୍ବିତ ରାତିରେ ଜଳେଶ୍ବର ଏସ୍ଡିପିଓଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ଚଢ଼ାଉ କରି ଜଣେ ବେପାରୀଙ୍କୁ ଗିରଫ କରିବା ସହ ୨୭୫ ଗ୍ରାମର ବ୍ରାଉନସୁଗାର ସମେତ ନଗଦ ୧ ଲକ୍ଷ ୨୩ ହଜାର ୬୦୦ ଟଙ୍କା ଜବତ କରିଥିଲା। ଏହା ସହ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି। ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀର ଘର ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର । ସେହିପରି ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଳେଶ୍ୱର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି।
ସୂଚନା ଯେ, ଗିରଫ ବ୍ରାଉନସୁଗାର ବେପାରୀ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ଓଡ଼ିଶାର ବିଭିନ୍ନ ସ୍ଥାନକୁ ସପ୍ଲାଇ କରୁଥିବା ନେଇ ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ୫ଟି ମାମଲା ଥିବା ନେଇ ଜଣାପଡ଼ିଛି। ଗତ ଶୁକ୍ରବାର ବାଇକ୍ ଯୋଗେ ବ୍ରାଉନସୁଗାର ନେଇ ଆସୁଥିବା ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ କୃଷ୍ଣନଗର ନିକଟରେ ଚଢ଼ାଉ କରିଥିଲା । ବ୍ରାଉନସୁଗାର ଜବତ କରିବା ସହ ଗୋଟିଏ ମୋବାଇଲ, ବ୍ୟାଙ୍କ ପାସ୍ବୁକ୍, ଏଟିଏମ୍ କାର୍ଡ, ପାନ୍କାର୍ଡ ଜବତ ହୋଇଥିଲା। ସେହିପରି ବାଲେଶ୍ୱର ଜିଲାରୁ ଆଗାମୀ ଦିନରେ ବ୍ରାଉନସୁଗାର କାରବାରର ମୂଳତ୍ପାଟନ ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।
